ହେ ଗଜାନନ
ହେ ଗଜାନନ
ଗଣ-ଈଶ ଲମ୍ବୋଦର ହେ ଗଜ-ଆନନ
ଗୌରୀ ଦେବୀ ପ୍ରିୟ ପୁତ୍ର ବିଘ୍ନ ବିନାଶନ ।
ଅଗ୍ରପୂଜ୍ଯ ବକ୍ରତୁଣ୍ଡ ରିଦ୍ଧି-ସିଦ୍ଧି ସ୍ବାମୀ
କଣ୍ଠେ ଶୋହେ ରତ୍ନମାଳା ଦେବ ଅନ୍ତର୍ଯ୍ୟାମୀ ।
ମୂଷିକ ବାହନ ତବ କମନୀୟ କାନ୍ତି
ଚତୁର୍ଭୁଜ ସୌମ୍ୟ ରୂପ ଅଙ୍ଗେ ଅଙ୍ଗେ ଜ୍ୟୋତି ।
ଭାଦ୍ରବ ଶୁକ୍ଳ ଚତୁର୍ଥୀ ପବିତ୍ର ଦିନରେ
ଧରା ଧାମେ ତୁମ୍ଭ ପୂଜା ଅତି ଆଡମ୍ବରେ ।
ଆନନ୍ଦେ ଭକତି ମନେ ଡାକନ୍ତି ଭକତ
ଦୁଃଖ ନାଶି, କୃପା କର ଆହେ ଗଣନାଥ ।
କାର୍ଯ୍ୟାରମ୍ଭେ ତୁମ୍ଭ ପୂଜା ବିଘ୍ନ ବିନାଶନ
କୋଟି ସୂର୍ଯ୍ୟ ସମ ତେଜ ଦିଶେ ଶୋଭାବନ ।
ଚତୁର୍ଭୁଜ ଶ୍ରୀଗଣେଶ ଚରଣେ ପ୍ରଣତି
ଅଜ୍ଞାନ ବିନାଶ ଦେବ ରିଦ୍ଧି-ସିଦ୍ଧି ପତି ।
ଜ୍ଞାନ ବୁଦ୍ଧି ଦିଅ ପ୍ରଭୁ କରୁଛୁ ବନ୍ଦନା
ଗଜାନନ ଦେବ, ତ୍ରୁଟି କରିବେ ମାର୍ଜନା ।
ଐଶ୍ବର୍ଯ୍ଯା ଗାଉଛି ଗୀତେ ବନ୍ଦନା ତୁମ୍ଭର
ଭବଜଳୁ ପାର କର ଦେବ ଲମ୍ବୋଦର ।