କାର୍ତ୍ତିକ ପୂର୍ଣ୍ଣିମା
କାର୍ତ୍ତିକ ପୂର୍ଣ୍ଣିମା
କାର୍ତ୍ତିକ ପୂର୍ଣ୍ଣିମା ରାହାସ ପରବ
ଅଟେ ମହିମା ମଣ୍ଡିତ
ଗୋପ ବୃନ୍ଦାବନେ ଲୀଳାମୟ କୃଷ୍ଣ
ପୂର୍ଣ୍ଣ ବ୍ରହ୍ମ ବିରାଜିତ ।
ପୁଣ୍ୟ ଧର୍ମ ମାସ ପାଳନ୍ତି ଭକତ
ନିଷ୍ଠାପର ଭକ୍ତି ଭାବେ
ପ୍ରାତ ସ୍ନାନ ସାରି ପୂଜନ୍ତି ବାଲୁଙ୍କା
ଇଷ୍ଟ ପୂଜି ଅନୁରାଗେ ।
କାର୍ତ୍ତିକ ମାହାତ୍ମ୍ୟ ପଢ଼ା ହୁଏ ନିତି
ତୁଳସୀ ଚଉଁରା ମୂଳେ
ପୂଜନ୍ତି ବ୍ରାହ୍ମଣ ଇଷ୍ଟ ଦେବାଦେବୀ
ବଡ଼ ସିଂହାର ବେଶରେ ।
ଶୁଦ୍ଧ ଶାଗ ମୁଗ ଘୃତ ହବିଷାନ୍ନ
ମନ୍ଦିରେ ହୁଅଇ ଭୋଗ
ଆନନ୍ଦେ ଭୁଞ୍ଜନ୍ତି ଆବାଳକବୃଦ୍ଧ
ଆହା କି ସୁଆଦ ଦିବ୍ୟ ।
ପୁଣ୍ୟ ତୀର୍ଥ ସ୍ଥଳ ହୁଏ ଲୋକାରଣ୍ୟ
ଭକତ ପକାନ୍ତି ବୁଡ଼
ପାଠ କରୁଥାନ୍ତି ବେଦ ଧର୍ମ ଶାସ୍ତ୍ର
କରି ଭଜନ କୀର୍ତ୍ତନ ।
ଯାଉଥିଲେ ପୂର୍ବେ ବୋଇତ ମେଲାଇ
ଆମରି ସାଧବ ପୁଅ
ଉତ୍ତରା ପବନ ନେଉଥିଲା ବାହି
ଅନୁକୁଳେ ଦୂର ଦ୍ଵୀପ ।
ଆସୁଥିଲେ ଫେରି ବରଷା ଆଷାଢେ
ଧରି ସୁନା ହୀରା ମୋତି
କଦଳୀ ପଟୁଆ ଡଙ୍ଗାକୁ ଭସାଇ
ପାଳୁ ଆମେ ପୂର୍ବ ସ୍ମୃତି ।
ଫୁଲ ଦୀପ ଧୂପେ ବନ୍ଦାପନା କରି
ଶୁଭ ନାରିକେଳ ଭାଙ୍ଗି
ମନାସି ଆସୁଛୁ ଆମ ଶୁଭଲାଭ
ନୈ।ବାଣିଜ୍ୟ ଅଭିବୃଦ୍ଧି ।
ଐତିହ୍ୟ ସମ୍ପନ୍ନ ଆମ ପରମ୍ପରା
ସୁସମୃଦ୍ଧ କୀର୍ତ୍ତି ଗାଥା
ଫେରି ଆସୁ ସେହି ସ୍ୱର୍ଣିମ ଅଧ୍ୟାୟ
ଟେକୁ ଓଡ଼ିଆ ତା ମଥା ।
