ଦୀପାବଳି
ଦୀପାବଳି
ବରଷକେ ଥରେ ଆସଇ ଚାଲି,
ଆଲୁଅର ପରବ ଦୀପାବଳି |
ନୂଆ ଜାମା ପିନ୍ଧି ବାଣ ଫୁଟାନ୍ତି,
ଘରେ ଘରେ ସବୁ ଦୀପ ଜାଳି |
ଲିଚୁ ଲାଇଟରେ ଦୋକାନ ବଜାର,
ଘରଦ୍ୱାର ସବୁ ଶୋଭା ପାଏ,
ମିଠା, ପିଠା, କ୍ଷୀରି ସୁସ୍ୱାଦୁ ଖାଦ୍ୟରେ,
ସଭିଙ୍କର ମନ ଭରିଯାଏ |
ନାନା ପ୍ରକାରର ବାଣ ଫୁଟାଯାଏ,
କୁମ୍ପି, ଆଲୁଅ ଓ ସୁରୁସୁରି,
ତାଳପତ୍ର ଆଉ ରିଲ, ଚିତା ସହ,
ସାପ, ବୋମା ଆଉ ଦିଆସିଲି |
ଟୁନାଟୁନି, ଅଜା ସଭିଏଁ ଫୁଟାନ୍ତି,
ଆନନ୍ଦରେ ଦେଇ କରତାଳି,
ବିଦାୟ ଦିଅନ୍ତି ପିତୃ ପୁରୁଷଙ୍କୁ ,
କାଉଁରିଆ କାଠି, ଦୀପ ଜାଳି |
ସହର ବଜାରେ ସାଜସଜା ସହ,
ପୂଜା ପାଉଥାନ୍ତି ମହାକାଳୀ,
ରୋଗ, ଶୋକ, ଦୁଃଖ ଦୁରକରି ମା'
କରନ୍ତୁ ସଭିଙ୍କୁ ଶକ୍ତିଶାଳୀ |
ଖୁସିରେ, ଖୁସିରେ ଚାଲିଯାଏ ସିନା,
ଦୀପାବଳି ଦିନ ମଜାକରି,
ବାୟୁମଣ୍ଡଳ ଯେ ପ୍ରଦୂଷିତ ହୁଏ,
ନଜର ନ ଥାଏ କାହାରି |
କେତେ ଜୀବଜନ୍ତୁ ଅଣନିଶ୍ୱାସୀରେ,
ରୁନ୍ଧି ସୁନ୍ଧି ହୋଇ ଯାନ୍ତି ମରି,
କେଉଁ ଖୁସି ଅବା ପାଉଛି ମାନବ,
ମନଇଛା ଏତେ ବାଣ ଜାଳି |
ଆମ ପରିବେଶ ପ୍ରଦୂଷଣ ମୁକ୍ତ,
ଆମରି ହାତରେ ଅଛି ସିନା,
ଆମେ ନ ମାନିଲେ ଆମ ଜୀବନ ହିଁ,
ହନ୍ତସନ୍ତ ହେବ ବାୟୁ ବିନା |
ତେଣୁ ହେ ପାଠକ ଆନନ୍ଦର ପର୍ବ,
ଆନନ୍ଦରେ ଦିଅ ଦୀପଜାଳି,
ବନ୍ଦ କରିଦିଅ ବାଣଫୁଟା ତୁମେ,
ଆନନ୍ଦ ହୋଇବ ଦୀପାବଳି |
