ବାପାଙ୍କ ହୃଦୟ
ବାପାଙ୍କ ହୃଦୟ
ମାଆ ଦିଏ ସିନା ଜନମ ସହି ବହୁ କଷଣ
ଆଦରେ ଯତନେ ସେନେହ ଦେଇ କରେ ପାଳନ |
ବାପାଙ୍କ ହୃଦୟେ ଥିଲେ ବି ସେଇ ସେନେହ ଭରା
ବୁଝି ନ ପାରନ୍ତି କେହିବି ତାଙ୍କ ମନକୁ ପରା |
ପ୍ରତିଦିନ ପ୍ରତିକ୍ଷଣେ ସେ ସୁଖେ ପାଳନ ପାଇଁ
କର୍ମ କରୁଥାନ୍ତି ପ୍ରତ୍ୟହ ସକାଳୁ ଉଠିଯାଇ |
ରାତି ପାହିଲେ ସେ ଚିନ୍ତନ୍ତି କରିବେ କେଉଁ କାମ
ପିଲାଙ୍କର ଭବିଷ୍ୟତରେ ଲାଗିବ ତାଙ୍କ ଶ୍ରମ |
ମାଆ ଦିଏ ଅତି ସେନେହେ ଛୁଆକୁ ସଜ କରି
ସେଇ ସଜ ପାଇଁ ସାମଗ୍ରୀ ବାପା ଦିଏ ଯୋଗାଡ଼ି |
ମାଆ ସିନା ସବୁ ମନକୁ ବୁଝି ରୋଷେଇ କରେ
ସେତେକ ବି ହୁଏ ପ୍ରସ୍ତୁତି ବାପାଙ୍କର ଶ୍ରମଧାରେ |
ଘରକୁ ସିନା ସମ୍ଭାଳେ ମାଆ ଘରଣୀ ହୋଇ
ବାହାର ଦୁନିଆ କଷଣ ବାପା ସମ୍ଭାଳୁଥାଇ |
ମାଆ ମନ ସିନା କୋମଳମତି ଦୟାରେ ପୂର୍ଣ୍ଣ
ସେନେହ ବି ଭରି ରହିଛି ସବୁ ବାପାଙ୍କ ମନ |
ମାଆ ଯଦି ଜନମଦାତ୍ରୀ ବାପା ପାଳନକର୍ତ୍ତା
ମାଆ ହେଲେ ଗୃହର ଦେବୀ ବାପା ଅଟେ ବିଧାତା |
ଜଣେ ହେଲେ ଆମ ଶରୀର ଆଉ ଜଣେ ଯେ ଆତ୍ମା
ଜଣକ ବିନା ଯେ ସଂସାର ଚଳିବନି ଜାଣିଥା |
ମାଆ ଯଦି ଆମ ପୃଥିବୀ ପିତା ଅଟେ ଆକାଶ
ମାଆ ଯଦି ଅଟେ ଆଲୁଅ ପିତା ତାର ପ୍ରକାଶ |
ବାପାମାଆ ଗୋଟେ ମୁଦ୍ରାର ଅଟେ ଦୁଇଟି ପାର୍ଶ୍ଵ
ତୁଳନା ନ କର ଦୁହିଁଙ୍କୁ ଯିଏ ଆମ ସର୍ବସ୍ୱ |
ବାପାମାଆ ଯାହା ପାଖରେ ସଦା ଥାଆନ୍ତି ଭାଇ
ଦୁନିଆରେ ସିଏ କେବେ ବି ଜମା ହାରନ୍ତି ନାହିଁ |
ବାପା ହେଲେ ଆମ ସାଗର ମାଆ ଅଟଇ ନୀର
ଦୁହିଁଙ୍କ ବିନା ଏ ଦୁନିଆରେ ସବୁ ଅପୂର୍ଣ୍ଣ ଆକାର |
ମାଆଙ୍କୁ ଜାଣଇ ଜଗତ ବହୁ ସମ୍ମାନ ଦେଇ
ବାପାଙ୍କ ହୃଦୟ ଭିତରେ ସମାନ ଗୁଣ ଥାଇ |
ପୃଥିବୀଠୁ ବଡ଼ ମାତା ଯେ ପିତା ସ୍ୱର୍ଗଠୁ ବଡ଼
ଦୁହିଁଙ୍କୁ ସମ୍ମାନ କରିଲେ ହେବ ଶ୍ରେୟ ଜଗତର |