ସୁନାପିଲା
ସୁନାପିଲା
ମଥାକୁ ସୁନ୍ଦର କେଶ, ଓଠକୁ ସୁନ୍ଦର ହସ,
ସକାଳୁ ସକାଳୁ ଶେଯ ଛାଡି ଆଗ,
ଭଲ ଭାବେ ଦାନ୍ତ ଘଷ |
ନଈକୁ ସୁନ୍ଦର ଜଳ, ଗଛକୁ ସୁନ୍ଦର ଫଳ,
ବାଛି ବାଛି ଖାଅ ସବୁଜ ପରିବା,
ଦେହରେ ବଢିବ ବଳ |
ପାଦକୁ ସୁନ୍ଦର ଜୋତା, ଖରାବରଷାକୁ ଛତା,
ମନ୍ଦ କଥା କହି ମନରେ କାହାର,
ଦିଅ ନାହିଁ କେବେ ବ୍ୟଥା |
ମାଛକୁ ସୁନ୍ଦର କାତି, ହାତୀକୁ ସୁନ୍ଦର ଛତି,
ପଢ଼ା ବେଳେ ପଢ଼, ଖେଳ ବେଳେ ଖେଳ,
ମିଳିମିଶି ସାଙ୍ଗ ସାଥୀ |
ଅଜାକୁ ସୁନ୍ଦର ବାଡ଼ି, ରାସ୍ତାକୁ ସୁନ୍ଦର ଗାଡି,
ସତକୁହ ସଦା, ମିଛ କୁହ ନାହିଁ,
କେବେ କା କଥାରେ ପଡି |
ବାହାକୁ ସୁନ୍ଦର ବାଜା, ଦେଶକୁ ସୁନ୍ଦର ରାଜା,
ଗୁରୁ, ଗୁରୁଜନ ଦେବତା ସମାନ,
କର ତାଙ୍କୁ ଭକ୍ତି ପୂଜା |
ଦିଅଁଙ୍କୁ ସୁନ୍ଦର ରଥ, ରଥକୁ ସୁନ୍ଦର ନେତ,
ସୁନାପିଲାଟିଏ ହେବ ଯଦି ତୁମେ,
ମୁଁ ହେବି ତୁମର ମିତ |
