ଆଉ ଥରେ
ଆଉ ଥରେ
ଆଉ ଥରେ
ମତେ ନେଇ ଚାଲ୍ ସେଇଠିକୁ
ଯେଉଁଠି
ଓଳି ତଳ ପାଣି ସୁଅରେ
ଭାସୁଥିବା କାଗଜଡଙ୍ଗା
ଦାଣ୍ଡଯାଏଁ ପହଞ୍ଚିଗଲା ତ
ସବୁ ମିଳିଯାଉଥିଲା ମନକୁ
କାଗଜର ଦାମ୍ ଠାରୁ
ବେଶି ଦାମି ଥିଲା ରକେଟ୍ କାଗଜର
ଯିଏ ନିଜ ଡେଣାରେ
ଉଡେଇ ପାରୁଥିଲା ନିଷ୍ପାପ ସ୍ୱପ୍ନ ସବୁ
ତା' ପୁଣି ଗୋଲାପି ରଙ୍ଗର॥
ଆଉଥରେ
ମତେ ନେଇ ଚାଲ୍ ସେଇଠିକୁ
ଯେଉଁଠି
ତୋର ଆଟଲାସ୍ ସାଇକେଲ୍ର ସିଟ୍
ଆଉ ଅପ୍ପୁ ହାତୀର ପିଠି
ଦିଇଟାଯାକ ସମାନ ଥିଲା
ଖାତାରୁ ଟିପିଦେଲେ
ଅଙ୍କ ଶିଖି ହେଇ ଯାଉଥିଲା
ବେଞ୍ଚ୍ ତଳେ ଲୁଚେଇ ଖାଉଥିବା
କଷି ଆମ୍ବ ଆଉ ବରକୋଳି
ସବୁଠାରୁ ମିଠା ଥିଲା
ଆଙ୍ଗୁଠିର ଇସାରାରେ
ଦିନ-ରାତି ଆସୁଥିଲା
ଆସୁଥିଲେ ରାମ-ସୀତା
ମାଡକୁ ନା ଗାଳିକୁ ଚିନ୍ତା
ସେଇ ଛୋଟ ବର ଓହଳ
ଥିଲା ଯଦି
ପାପୁଲିର ସନ୍ଧିରେ ସାଇତା ॥
ଆଉଥରେ
ମତେ ନେଇ ଚାଲ୍ ସେଇଠିକୁ
ଯେଉଁଠି
ମାଟିର ଚିଟାଉ ନେଇ
ଖୋଜି ଖୋଜି ଆକାଶର ଠିକଣା
ଝଡିପୋକ ହେଉଥିଲା ବାଟବଣା
ପଢିସାରି ନିଜ ଲେଖା ଯାକ
ଟିକ୍ ଟିକ୍ ଚିରା ହେଉଥିଲା
କିଛି ଗୋଟେ ବାହାନାରେ
ଆଖି ନିଜ ଅଜାଣତେ ଫେରୁଥିଲା
ଘରେ ଥିଲା ଡର
ଭାବିବାକୁ ଦେଖିବାକୁ
ରାସ୍ତା, କାନ୍ଥ ଆଉ କବାଟ ଡେଇଁ
ପଡିଥିବା ତୋର ପାଦଚିହ୍ନ
ଆଉ ବାହାରେ ଥିଲା
କେବେ ଜହ୍ନମାମୁଁ କେବେ ମନପବନ॥
ଆଉଥରେ
ମତେ ନେଇ ଚାଲ୍ ସେଇଠିକୁ
ଯେଉଁଠି
ଛାଡି ଦେଇ ଆସିଥିଲି
କଅଁଳ ସମୟର ହାତ,
ନିଶୂନ୍ ବେଳରେ
ଗୁଣୁଗୁଣୁ କରୁଥିବା
ଅକ୍ଷର ନ ଥିବା ଗୀତ,
ସେଇଠାରୁ
ସାଉଁଟି ଆଣିବି ଏ ଥର
ମୁଁ ବୁଝିବା ଆଗରୁ
ବିତିଯାଇଥିବା
ମୋର ସଞ୍ଜ ଆଉ ସକାଳ,
ନାରଙ୍ଗ ବଣରେ ହଜିଥିବା
ରାଗ-ଅନୁରାଗର ଲୁଚକାଳି ଖେଳ ॥
******++++******

