STORYMIRROR

Snigdha Panda

Romance Children

4  

Snigdha Panda

Romance Children

ଆଉ ଥରେ

ଆଉ ଥରେ

1 min
539

ଆଉ ଥରେ

ମତେ ନେଇ ଚାଲ୍‍ ସେଇଠିକୁ

ଯେଉଁଠି

ଓଳି ତଳ ପାଣି ସୁଅରେ

ଭାସୁଥିବା କାଗଜଡଙ୍ଗା 

ଦାଣ୍ଡଯାଏଁ ପହଞ୍ଚିଗଲା ତ 

ସବୁ ମିଳିଯାଉଥିଲା ମନକୁ

କାଗଜର ଦାମ୍‍ ଠାରୁ 

ବେଶି ଦାମି ଥିଲା ରକେଟ୍‍ କାଗଜର 

ଯିଏ ନିଜ ଡେଣାରେ

ଉଡେଇ ପାରୁଥିଲା ନିଷ୍ପାପ ସ୍ୱପ୍ନ ସବୁ 

ତା' ପୁଣି ଗୋଲାପି ରଙ୍ଗର॥

ଆଉଥରେ

ମତେ ନେଇ ଚାଲ୍‍ ସେଇଠିକୁ

ଯେଉଁଠି

ତୋର ଆଟଲାସ୍‍ ସାଇକେଲ୍‍ର ସିଟ୍‍

ଆଉ ଅପ୍ପୁ ହାତୀର ପିଠି

ଦିଇଟାଯାକ ସମାନ ଥିଲା

ଖାତାରୁ ଟିପିଦେଲେ 

ଅଙ୍କ ଶିଖି ହେଇ ଯାଉଥିଲା

ବେଞ୍ଚ୍‍ ତଳେ ଲୁଚେଇ ଖାଉଥିବା 

କଷି ଆମ୍ବ ଆଉ ବରକୋଳି

ସବୁଠାରୁ ମିଠା ଥିଲା

ଆଙ୍ଗୁଠିର ଇସାରାରେ 

ଦିନ-ରାତି ଆସୁଥିଲା

ଆସୁଥିଲେ ରାମ-ସୀତା

ମାଡକୁ ନା ଗାଳିକୁ ଚିନ୍ତା

ସେଇ ଛୋଟ ବର ଓହଳ 

ଥିଲା ଯଦି

ପାପୁଲିର ସନ୍ଧିରେ ସାଇତା ॥ 

ଆଉଥରେ

ମତେ ନେଇ ଚାଲ୍‍ ସେଇଠିକୁ

ଯେଉଁଠି

ମାଟିର ଚିଟାଉ ନେଇ 

ଖୋଜି ଖୋଜି ଆକାଶର ଠିକଣା

ଝଡିପୋକ ହେଉଥିଲା ବାଟବଣା

ପଢିସାରି ନିଜ ଲେଖା ଯାକ 

ଟିକ୍‍ ଟିକ୍‍ ଚିରା ହେଉଥିଲା

କିଛି ଗୋଟେ ବାହାନାରେ 

ଆଖି ନିଜ ଅଜାଣତେ ଫେରୁଥିଲା 

ଘରେ ଥିଲା ଡର 

ଭାବିବାକୁ ଦେଖିବାକୁ 

ରାସ୍ତା, କାନ୍ଥ ଆଉ କବାଟ ଡେଇଁ

ପଡିଥିବା ତୋର ପାଦଚିହ୍ନ

ଆଉ ବାହାରେ ଥିଲା

କେବେ ଜହ୍ନମାମୁଁ କେବେ ମନପବନ॥ 

ଆଉଥରେ

ମତେ ନେଇ ଚାଲ୍‍ ସେଇଠିକୁ

ଯେଉଁଠି

ଛାଡି ଦେଇ ଆସିଥିଲି

କଅଁଳ ସମୟର ହାତ,

ନିଶୂନ୍ ବେଳରେ

ଗୁଣୁଗୁଣୁ କରୁଥିବା

ଅକ୍ଷର ନ ଥିବା ଗୀତ,

ସେଇଠାରୁ

ସାଉଁଟି ଆଣିବି ଏ ଥର

ମୁଁ ବୁଝିବା ଆଗରୁ

ବିତିଯାଇଥିବା

ମୋର ସଞ୍ଜ ଆଉ ସକାଳ,  

ନାରଙ୍ଗ ବଣରେ ହଜିଥିବା

ରାଗ-ଅନୁରାଗର ଲୁଚକାଳି ଖେଳ ॥

******++++******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance