STORYMIRROR

Snigdha Panda

Abstract

4  

Snigdha Panda

Abstract

ଯୁଦ୍ଧ-ଖେଳ

ଯୁଦ୍ଧ-ଖେଳ

1 min
14

ତମେ ଖେଳିବ ବୋଲି କହିଲ 

ଆମେ ସାରା ପଡିଆ ଛାଡିଦେଲୁ 

ଯୋଉଠି ଘାସ ଥିଲା 

ଆମେ ତା ଉପରେ ଖେଳୁଥିଲୁ ସବୁଦିନ 

ବର୍ଷା ହେଲେ ଯୋଉ ସବୁ ଜାଗାରେ ଘାସ ନ ଥାଏ 

ସେଠି ବି କାଦୁଅରେ ଆମେ ଖେଳୁଥିଲୁ

ଗୁଞ୍ଜର ପୋକ ଧରିବା 

ଗୁଗୁଚିଆ ଛଡେଇବା 

ପାଦ ଚଲା ରାସ୍ତାକୁ 

ସୀମା ମାନି ନେଇ ରାଜତ୍ୱ କରିବା 

ସବୁକିଛିର ସାକ୍ଷୀ ଥିବା 

ପଡିଆ ତୁମ ପାଇଁ ଛାଡିଦେଲୁ ॥


ଜହ୍ନକୁ ଯିବାର ସ୍ୱପ୍ନ ଅଙ୍କା ହେଇଥିବା

କାଗଜ ରକେଟ୍‍ 

ଆମେ ସେଠି ଉଡଉ ଥିଲୁ 

କାନ ପାଖରେ ଚିଲେଇ ଦେଇ 

ପରସ୍ପରକୁ ଡରଉଥିଲୁ 

ଶୀତର ଫାଟକୁ ବୁଜିବାକୁ 

କାକରରେ ମୁହଁ ପୋଛୁଥିଲୁ 

ଫୁଲମାନଙ୍କର ନାଁ ଦେଉଥିଲୁ ବାଛିବାଛି 

ବସୁଥିଲୁ ପାଖାପାଖି

ହସୁଥିଲୁ ଦେଖାଦେଖି 

କେବେ କେବେ ରୁଷୁଥିଲୁ 

ତମେ ଖେଳିବ ବୋଲି 

ସେଇ ଜାଗାଟି ଛାଡିଦେଲୁ 


ତମ ଖେଳ ଏମିତି ଚାଲିଲା ଓ ଚାଲିଛି 

ଆମ ପଡିଆସାରା ରକ୍ତ 

ଚାରି ପାଖରେ ଶବର ପାଚେରୀ 

ଘାସ ଉପରେ ଖାଲି ପାଉଁଶ 

ଡରେଇବାକୁ ତମେ ଫୁଟଉଛ ଗୁଳି 

ଆକାଶକୁ ପଠଉଛ କ୍ଷେପଣାସ୍ତ୍ର 

ବର୍ଷଉଛ ବୋମା 

ଆମ ଗୁଞ୍ଜର ଧୂଆଁ ହେଇ ଉଡିଗଲାଣି 

କାକର ଆକାଶରୁ ତଳକୁ ଖସୁନି ॥


କାଲି ଶୁଣିଲୁ ଆମର କେତେ ସାଙ୍ଗ 

ହଜିଗଲେଣି ତମ ଖେଳ ଭିତରେ 

ଏବେ ଖେଳିଯିବାକୁ ମନା କରିବାକୁ 

କେହି ତ ନାହିଁ 

କାହିଁକି ନା ମନା କରିବା ଲୋକମାନେ ନାହାନ୍ତି 

ସେଠି କି ଆଉ କୋଉଠି କି ଖେଳିଯାଇ ହେଉନି 

କାହିଁକି ନା ଖେଳ ମାନେ ବି ବଦଳି ଯାଇଛି

ଆମେ କଣ ଜାଣିଥିଲୁ ଯେ 

ତମର ୟେ ଖେଳର ନାଁ ଯୁଦ୍ଧ ବୋଲି ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract