ସାନ୍ତ୍ଵନା
ସାନ୍ତ୍ଵନା
କାନ୍ଧରୁ ଖସୁଥିବା ଶାଲ୍ ସହିତ
ଶୀତ ଖସିଯାଏ ଧୀରେ ଧୀରେ
ପୃଥିବୀରୁ ଏବଂ ଶେଷରେ ଦେହରୁ ବି
ଘାସର କାକର ଉଡିଯାଏ ଆକାଶକୁ
ମାଟିରେ ଛାଡ଼ିଦେଇ
ସ୍ୱପ୍ନର ବିନ୍ଦୁମାନ
ତା’ବି ଉଭାନ୍ କେଇ ମୁହୁର୍ତ୍ତ ପରେ
ତତେ ଭେଟିବାକୁ ଥିବା
ମୋର ସବୁ ଶୀତ ରାତି ଖସୁଥାଏ ପାହାନ୍ତାରେ
ଯେତେ ଶବ୍ଦ ଶୁଭୁଥାଏ
କୋଉଟି ବି ତୋର ପାଦରୁ ଆସି ନଥାଏ
ଯଦିଓ ଆସିବାର ଥିଲା ବୋଲି
ମୁଁ ରହିଥାଏ ଅପେକ୍ଷାରେ II
ମଳୟ ଆସିବ ବୋଲି
କେହି ଜଣେ କହିଦେଇ ଥାଏ
ଅବିର ରଙ୍ଗ ବାଛିବାର ସକାଳ ପରେ
ତଥାପି କେମିତି ଘେରି ଆସେ କୁହୁଡି
ଝରୁଥାଏ ପତ୍ର
ଦିନର ଆୟୁଷ ବଢିଯାଉଥାଏ
ତତେ କଣ ଜଣା ପଡେ କେବେ ଯେ
ଠିକ୍ ଅଛି କହିବା ଭିତରେ
ମୁଁ ନିଜେ ସରି ଯାଉଥାଏ II
ମାସ ଆଉ ଋତୁ ବଦଳୁଥାଏ
ଜଣେ ଯାଏ ଜଣେ ଆସୁଥାଏ
ଯିଏ ଯାଏ ସେ ବି ଦିନେ ଆସିପାରେ
ନିରାଶ ହେଲା ପରେ ସବୁଥର
ତଥାପି ଆସିବୁ ବୋଲି
ନିଜକୁ ସାନ୍ତ୍ଵନା ଦିଏ ସେଇ ନିୟମରେ II

