STORYMIRROR

Snigdha Panda

Abstract

3  

Snigdha Panda

Abstract

ମୋ ଦେଶ

ମୋ ଦେଶ

1 min
10

ପାଉଁଶ କଢା ହେଇ ନ ଥିବା ଚୁଲିରୁ 

କେବେ ଓହ୍ଲେଇପାରି ନ ଥିବା ଅମଜା ହାଣ୍ଡିରେ 

ଶୁଖିଯାଇଥିବା ପେଜ ତଳେ 

ମୋ ଦେଶର ଉଲଗ୍ନ ରକ୍ତ ମାଂସ ହାଡ଼ 

ତମେ ଦେଖି ପାରିବନି ଜାଣିଛି ।


କଣ୍ଟା ତାର ସେପଟେ 

ନିବେଦନ ଜଣେଇବାକୁ 

ଜିଭ ତଳୁ ଫିଟିବା ଆଗରୁ 

ଗୁଳି ଶବ୍ଦରେ ନୀରବିଯାଇଥିବା

ମୋ ଦେଶର ଦୀର୍ଘଶ୍ୱାସର ସ୍ୱର

ତମେ ଶୁଣି ପାରିବନି ଜାଣିଛି ‌।


ଉଜୁଡିଥିବା କ୍ଷେତରେ 

ଝାଳର ହକ୍ ମାଗୁଥିବା

ଫୁଟୁଥିବା ପିଚୁରେ 

ଭବିଷ୍ୟତକୁ ତରଳଉଥିବା 

ମୋ ଦେଶର ଅକ୍ଷରଗୁଡ଼ିକ

ତମେ ପଢି ପାରିବନି ଜାଣିଛି ।


ଛିଣ୍ଡି ଆସିଥିବା ଖଣ୍ଡେ ପତାକାକୁ

ଘୋଡ଼େଇ ହେଇ 

ଲାଜ ଲୁଚେଇବା ଚେଷ୍ଟାରେ 

ଆଙ୍ଗୁଠି ସନ୍ଧିରୁ ଝରି ପଡୁଥିବା 

ମାଟି ମୁଠାକ ମୋ ଦେଶ

ତମେ ଚିହ୍ନି ପାରିବନି ଜାଣିଛି ।


ଯେଉଁଠି 

ଅଙ୍କାବଙ୍କା କେତେଟା ଗାର ଟାଣି 

ଦେଶକୁ ଦେଖେଇଦିଆ ଯାଏ

ପ୍ରତିଧ୍ବନିତ ସ୍ଳୋଗାନ୍ ରୁ ଦେଶକୁ ଶୁଣାଯାଏ 

କାଗଜରେ ଛପା ହେଇଥିବା

ଯୋଜନାରୁ ଦେଶକୁ ପଢ଼ାଯାଏ 

ବଦଳୁଥିବା ରଙ୍ଗରୁ ଦେଶକୁ ଚିହ୍ନାଯାଏ

ସେଠି ମୋ ଦେଶକୁ ଦେଶ ବୋଲି

ତମେ ବୁଝି ପାରିବନି ଜାଣିଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract