ଚିମୁଟାଏ ଜ୍ୟୋତି
ଚିମୁଟାଏ ଜ୍ୟୋତି
ଦେଖିବ ଯଦି ଦେଖ !
ଦୀପଟିଏ ସିନା
ମାଟିରେ ଗଢ଼ା
ବାତି-ତେଲ ସହ
ମିଶେଇ ଛାତି
ଚିରିପାରେ ଉଆଁସର
କଳାଛାତି
ପ୍ରଜ୍ଜଳିତ ଶିଖା ଧାରେ
ଝଲସାଏ ଚିମୁଟାଏ
ଆଲୁଅ ଜ୍ୟୋତି
ଅମାବାସ୍ୟା ରାତି ।୧
ପୂଜିବ ଯଦି ପୂଜ !
ଆଜି ଦୀପାବଳୀ
ମାଆ ମହାକାଳୀ
ଲକ୍ଷ ଲକ୍ଷ
ଝଲସିବ ଦୀପାଳି
ଘର ନଗର ମନ୍ଦିର
ସହ ସାରା ସହର
ଆଲୋକର ମହାପର୍ବ
ଖୁସିର ପାଳି ।୨
ଜାଳିବ ଯଦି ଜାଳ !
ନିରାଶାର କିଟିକିଟି
ଅନ୍ଧାରୀ ଗୁହାରେ
ଆଶାର କ୍ଷୀଣ
ପୂଜାଦୀପ
ଅଶାନ୍ତ ଅଭିଯୋଗପ୍ରବଣ
ମନ ମହ୍ଲାରେ
ଧନ୍ୟବାଦୀ ମହାଦୀପ ।୩
ଜାଳିବ ଯଦି ଜାଳ !
ଈର୍ଷା- ଅହଂକାରୀ
ଅସତ୍ୟ ପୂଜାରୀ
ମନେ ଶ୍ରଦ୍ଧା-ପ୍ରେମର
ସାଇତା ଦୀପ
ଅନ୍ଧ ଆକର୍ଷଣେ
ବାଉଳା ପ୍ରାଣେ
ଆନନ୍ଦ- ଉଲ୍ଲାସର
ବକଟେ ଛାପ ।୪
ପୂଜିବ ଯଦି ପୂଜ !
ଶୁଭ ଦୀପାବଳୀ
ଶୁଭ ଭଦ୍ରକାଳୀ
ଶୁଭ ମନାସୁଛି
ଦୀପ ଲଗେଇ
ଜଗତଜନଙ୍କୁ ସୁସ୍ଥରେ
ରଖି ହେ ଘଣ୍ଟ ଘୋଡେଇ
ବିଶ୍ଵବାସୀଙ୍କୁ ସୁଖରେ
ରଖ ହେ ଜଗତମାଇ ।୫
