ଝରକା ଝଲକ
ଝରକା ଝଲକ
କବିତା - ଝରକା ଝଲକ
ରଚନା - ପଞ୍ଚାନନ ଜେନା
ତାରିଖ -୧୪-୧୦-୨୦୨୬
++++++++++++++++
ବୋଉ କହେ
ଝରକାଟା ଖୋଲି ଦେ ମେଲି ଦେ
ଦକ୍ଷିଣା ସୁଲୁସୁଲିଆ ପବନକୁ ଆସିବାକୁ ଦେ
ବୁଝିଲୁ ଧନ
ବଡ଼ ହେଲେ ଜାଣିବୁ
ଝରକା ସେପାଖରେ ଥାଏ ଭିନ୍ନ ଜୀବନ
ଭିନ୍ନ ପୃଥିବୀ ପରି ପ୍ରତିଦିନ ନିତ୍ୟ ନୂତନ
ଝରକା ଖୋଲୁ ଖୋଲୁ
ଆଖି ଲମ୍ବିଯାଏ ଆପେ ଆପେ
ଝରକାର ଲୁହା ରେଲିଙ୍ଗ୍ ଫାଙ୍କରେ ସଂଗୋପେ
ଦୂର ଦିଗବଳୟ ଯହିଁ
ଛୁଇଁଥିବ ମାଟିର ଗାଲକୁ ଧାପେ ଧାପେ
ତରୁତୃଣ ପାଦପ ମାନେ
କଦମ୍ ତାଲ୍ରେ ଚାଲିଛନ୍ତି ରାଲିରେ ଆପେ ଆପେ
ଭେଳା ଭେଳା ବଉଦ ମାନେ
ଭାସି ବୁଲୁଥିବେ ମାପେ ମାପେ
ଲୁଚକାଳି ଖେଳୁଥିବେ ସୂର୍ଯ୍ୟ ସହିତ
ସତେ ଯେମିତି ବାଲ୍ୟବନ୍ଧୁ କୋପେ କୋପେ
ଆହା କି ଆତ୍ମତୃପ୍ତି ?
ଖୁସି ମାନେ ଖାଲି ସାଲୁରୁ ବାଲୁରୁ ତୃପ୍ତି
ଛାଇ ଆଲୁଅର ଖେଳ ଭିତରେ ବି ଦିଶିଯାଏ ମସ୍ତି
ଝରକାର ଲମ୍ବା ଆଇନାରେ
ଦିଶିଯାଏ ନୀଳାମ୍ବୁ ନଉମଣ୍ଡଳର ବର୍ଣ୍ଣବିଭା
ଆଖି ତରାଟି ମିଶିଯାଏ ନୈସର୍ଗିକ ଚିତ୍ରଶୋଭା
ମନେ ମନେ ଖୋଜି ପକାଏ
ବିଖ୍ୟାତ ଚିତ୍ରକର କିଏ ସେ ?
ବିସ୍ମୟ ବ୍ରସ୍ ଫିଙ୍ଗି ଦେଇଛି ତାର
ରଙ୍ଗ ସବୁ ଛିଟିକି ଯାଇଛି ଏକାକାର
ରଙ୍ଗ ବେରଙ୍ଗ ବ୍ୟାନର ବେଶ୍ ମାନୁଛି
ଗୋଧୂଳୀ ଆକାଶଟା ଦିଶୁଛି ମନଲୋଭା
ଝରକା ସେପାଖରେ ନାତିଦୂରେ
ବୁଦୁ ବୁଦୁକିଥା କିଆଁବଣ
କିଆଁଫୁଲର ଅତର ମିଶା ସୁଗନ୍ଧ ଭାସି ଆସେ
ସତେ ଯେମିତି ପବନ ବିଞ୍ଚଣା ମିଶ୍ରଣ
ନିମ୍ବ ଗଛ ଉହାଡ଼ରୁ
ଡିଆଁ ମାରୁଥିଲେ
ନେପାଳି ମୂଷା ଗଣ୍ଡାଏ
ପିଜୁଳି ଗଛ ଡାଳରେ ଥଣ୍ଟ ମାଜୁଥିଲେ
ବଣି ଚଢ଼େଇ କେରାଏ
ଲୁଗା ସୁଖା ତାରରେ କାଉ ମାନଙ୍କର
ବସିଥିଲା ସକାଳ ପ୍ରହର ଗ୍ରାମସଭା
ପ୍ରକୃତିର ବିଚିତ୍ର ଶୋଭା ସଂପଦରେ
ଆତ୍ମହରା ହେବାକୁ ଏହା ହିଁ ଯଥେଷ୍ଟ ଆଭା ପ୍ରଭା ବିଭା
ମନରେ ପ୍ରଶ୍ନ ଉଙ୍କିମାରେ
ଥରକୁ ଥର ପଚାରେ
ଝରକା ବାହାର ପୃଥିବୀ
ସତରେ କେତେ ସୁନ୍ଦର ମନୋହର
ତଥାପି କାହିଁକି ମଣିଷ ?
ଝରକା ଭିତର ପୃଥିବୀରେ ରହିବାକୁ ଏତେ ତତ୍ପର ?
