ଶରଶଯ୍ୟାର ଇଙ୍ଗିତ
ଶରଶଯ୍ୟାର ଇଙ୍ଗିତ
କବିତା - ଶରଶଯ୍ୟାର ଇଙ୍ଗିତ
ରଚନା - ପଞ୍ଚାନନ ଜେନା
ତାରିଖ - ୧୬-୦୯-୨୦୨୬
+++---+++++++++
ମନେଅଛି ନା ନାହିଁ
ତୁମ ପଣତକାନିର ସ୍ନିଗ୍ଧ ଶୀତଳ ଛାଇ
ନିତି ଖାଇସାରିବା ପରେ
ହାତ ଧୋଇବା ପରେ ପରେ
ମୁହଁଟା ପୋଛିଦେଲେ ଥରେ
ଶାନ୍ତି ଲାଗୁଥିଲା ଅନ୍ତଃକରଣରେ
ହାଇ ପରେ ହାଇ ଆସୁଥିଲା ଧାଇଁ
ସେହି ପଣତ କାନି ଆଜି ହଜିଗଲା
ଆଧୁନିକତାର ଚପଳ ଛନ୍ଦରେ
ସାଲୱାର କମିଜ ଉପର ଉତ୍ତରୀରେ
ମୋବାଇଲ ଫୋନର ରିଲସରେ
ଆଉ କଣ ବା ଅଧିକ କହିବି
ଫେସବୁକ୍ ଇନ୍ଷ୍ଟାଗ୍ରାମର ମାୟାଜାଲରେ
ସେହି ପଣତ କାନି ଆଜି ଭିଜିଗଲା
ଆଖିର ଟୋପା ଟୋପା ଆନନ୍ଦାଶ୍ରୁରେ
ବିଉଟି କୁଇନର ମିଛ ସମ୍ବୋଧନରେ
ଲମ୍ବା ଫଲୋୟର୍ସର ଶବ୍ଦଜାଲରେ
ଆଉ କିସ ବା ଅଧିକ ଶୁଣେଇବି
ପାଟଶାଢ଼ୀମାନଙ୍କୁ ଛି ଛି ର ମଧୁର ଭର୍ତ୍ସନାରେ
ସେହି ପଣତ କାନି ଆଜି ଲୁଚିଗଲା
ମମ୍ ଆଣ୍ଟି ସ୍ୱିଟି ବିଉଟିର ବିଭୋର ପଣରେ
ଭଗ୍ର ଆଧୁନିକା ସହରୀ ଚତୁରୀ ଗୁଣରେ
ଚିତ୍ର ଚରିତ୍ରର ଚାରିତ୍ରିକ ସ୍କଳନର ଚକ୍ରବ୍ୟୁହରେ
ଆଉ କେମିତି ଢଙ୍ଗରେ ପ୍ରମାଣ ଜଣେଇବି
କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ସବୁ ମାୟାରେ ବାୟାରେ
ଛାତି ତଳେ ଅନେକ ଯନ୍ତ୍ରଣା
କହିଦେଲେ ବି ଅସରନ୍ତି ମନ୍ତ୍ରଣା
ତୋର ଉଡି ଉଡି ଯାଏ କାନି
ଫଗୁଣ ଆସିଲା--
ଚୁପି ଚୁପି ମୋ ମନକଥା ସେ
ତୋ କାନେ କହିଲା
ସ୍ବର୍ଗତ ପ୍ରଣବ ପଟ୍ଟନାୟକଙ୍କ
କଣ୍ଠରୁ ଭାସି ଆସୁଥିବା
ସୁଗମ ସଙ୍ଗୀତ
ମହାଭାରତର ପିତାମହ ଭୀଷ୍ମଙ୍କ
ପଣତ କାନିର ଶରଶଯ୍ୟା ଇଙ୍ଗିତ ଆଙ୍କୁଥିଲା
