ରକ୍ଷା ବନ୍ଧନ
ରକ୍ଷା ବନ୍ଧନ
ଭାବର ଡୋରୀରେ ବାନ୍ଧିଲି ବନ୍ଧନ
ରଖିବାକୁ ମାନ ଦେଲି ମୋ' ରାଣ ,
ସେନେହ ଶରଧା, ଆନନ୍ଦରେ ସିକ୍ତା
ରେଶମ ଡୋରୀରେ ହୋଇଛି ଯେ ବନ୍ଧା,
ଶ୍ରୀ ବଳଦେବଙ୍କ ଜନ୍ମ ଅବସରେ
ଶ୍ରାବଣ ପୁନେଇଁ , ପୁଣ୍ଯ ଏ ତିଥିରେ
ପ୍ରତିଟି ଓଡ଼ିଆ ଘରେ ଘରେ ପାଳେ
ରକ୍ଷାର ସୂତ୍ରରେ ସେନେହ ପଖାଳେ ,
କୃଷ୍ଣା ବାନ୍ଧିଥିଲେ , କୃଷ୍ଣଙ୍କ ହାତରେ
ରେଶମ ସୂତାର ବସ୍ତ୍ର, ଦ୍ବାପରରେ ,
କରିଥିଲେ ପଣ ରଖିବାକୁ ମାନ
କୋଟି ବସ୍ତ୍ର ଦେଇ ରଖିଲେ ସମ୍ମାନ ,
ସାଧବର ପୁଏ ଯାଉଥିଲେ ଦୂରେ
ବଣିଜ କରି ଯେ ଦେଶ-ବିଦେଶରେ ,
ସାଧବଝିଅଟି ମଙ୍ଗଳା ମନ୍ଦିରେ
ବାନ୍ଧୁଥିଲା ଡୋରୀ ଅତି ଯତନରେ ,
ଭାଇମାନଙ୍କର ଶୁଭ ସେ ମନାସି
ଯଶ-ଆୟୁ ବୃଦ୍ଧି ହୃଦୟରେ ଚିନ୍ତି ,
ବାନ୍ଧି ଦେଉଥିଲା ରକ୍ଷା ସୂତ୍ରଟିଏ
କୋଟି ଜନମର ସ୍ନେହ ସୂତ୍ରଟିଏ ,
ସୁଭଦ୍ରା ବାନ୍ଧନ୍ତି ଦୁଇ ଭାଇଙ୍କ ହାତରେ
ମଙ୍ଗଳ ବିଧାନ ମଙ୍ଗଳ ବେଳାରେ ,
ଜଗାବଳିଆଙ୍କ ସୁମନାସ ଚିନ୍ତି
ସେନେହ ସୂତ୍ରରେ ବାନ୍ଧିଥା'ନ୍ତି ରାକ୍ଷୀ ,
ରାକ୍ଷୀ ନୁହେଁ ଏକ ରେଶମର ଡୋର
ସେନେହ ସୌହାର୍ଦ୍ଦ୍ୟେ ଗୁନ୍ଥା ଏ ଶୃଙ୍ଗାର ,
ବାନ୍ଧିଦେଲି ହାତେ ରକ୍ଷାର ବନ୍ଧନ
ଯଶ-ଆୟୁ ବୃଦ୍ଧି କାରକ କାରଣ ,
ଶଙ୍ଖରେ ପୂରେଇ ଚକ୍ର ଆଢୁଆଳେ
ରଖିଥା'ନ୍ତୁ ଜଗା ଏହି ନିବେଦନ ।
