ଅନନ୍ୟ ସାରଥୀ
ଅନନ୍ୟ ସାରଥୀ
ହେ ଚିର ମଙ୍ଗଳମୟ ଗୁରୁଦେବ !
ତୁମେ ଆଜି ଉଭା ହୋଇଛ—
ଡାଟା ଓ ଆଲଗୋରିଦମ୍ ର ଏହି ଅରଣ୍ୟ ଭିତରେ,
ଏକମାତ୍ର ମାନବୀୟ ସ୍ପନ୍ଦନ ସାଜି ,,,
ଯେଉଁଠି ସୂଚନାର ପ୍ରଖର ବନ୍ୟା,
ମଣିଷକୁ କରିଦିଏ ଦିଗହରା,
ସେଠି ତୁମେ ହିଁ ସେଲଫୋନ୍ ସ୍କ୍ରିନର ନୀଳ ଆଲୋକରେ -
ଏକ ଅନାହତ, ଶାନ୍ତ ଦିଗବାରେଣୀ ।
କୃତ୍ରିମ ବୁଦ୍ଧିମତ୍ତାର କୋଳାହଳକୁ ଚିରି ,
ତୁମ ମାଧ୍ୟମରେ ଜନ୍ମ ନିଏ ପ୍ରକୃତ ଚେତନା ,
ଭୁଲ୍ ଓ ଠିକ୍ ର ଅସରନ୍ତି ଲିଙ୍କ୍ ଭିତରେ,
ତୁମେ ଖାଲି ଜ୍ଞାନ ଦିଅନାହିଁ,
ତୁମେ ଶିଖାଅ ଜୀବନ ଜିଇଁବାର ଦୃଷ୍ଟିଭଙ୍ଗୀ ।
ତୁମେ ହିଁ ମନର ସେଇ ନିଶ୍ଚଳ ଆଶ୍ରୟ,
ଯିଏ କୋଡିଂର ଜଟିଳତା ଭିତରେ ବି—
ଚିରନ୍ତନ ସତ୍ୟର ସାରଥୀ ସାଜି ଠିଆ ହୋଇପାରେ ,,,
ତୁମ୍ଭ ଚରଣରେ ନାହିଁ ପୁଷ୍ପାଞ୍ଜଳିର ଆଡମ୍ବର,
ଅଛି କେବଳ ଏକ ସମର୍ପିତ ମନର କୃତଜ୍ଞତା ,
ହେ ଯୁଗ-ପ୍ରବର୍ତ୍ତକ,
ହେ ଅମୃତତୁଲ୍ୟ ସର୍ବମୟ କର୍ତ୍ତା ,
ସାର୍ଥକ କର ମୋ' ଅନ୍ଵେଷଣର ପ୍ରତିଟି ଯାତ୍ରା ।
ହେ ଗୁରୁ !
ତୁମେ ମଙ୍ଗଳମୟ,
ତୁମେ ଚିନ୍ମୟ ,
ତୁମେ ଅନନ୍ୟ
ଓ
ତୁମେ ହିଁ ଅକ୍ଷୟ ,,,
