କଳା ଠାକୁର
କଳା ଠାକୁର
କଳା ଠାକୁର ମୋ କଳା ଠାକୁର
ନନ୍ଦିଘୋଷେ ବସି ଯାଉଛୁ କି ବୁଲି !
ଲୀଳା ଯାତ୍ରା କରି ଗୁଣ୍ଡିଚାଘର ।
ରଥ ଡାକେ ପ୍ରଭୁ, ମଣିମା' ମଣିମା'
ପଥ ଡାକେ ଦେବ, ଗୁହାରି ଶୁଣିମା'
ଲକ୍ଷ୍ମୀ ଠାକୁରାଣୀ, ଝୁରନ୍ତି ଏକାକୀ
ଶ୍ରୀହୀନ ଲାଗେ ତୋର ଶ୍ରୀମନ୍ଦିର ।
କଳା ଠାକୁର ମୋ' କଳା ଠାକୁର
ମନେ ପଡୁଛନ୍ତି ସତେ କିବା ତୋର !
ଗୋପର ରାଧିକା , ଯମୁନା କୂଳ,
ତୁ ପରା ସେହି ଗୋପୀ ପ୍ରାଣ-ଧନ
ଗୋପର କହ୍ନେଇ ବଂଶୀ-ବଦନ,
ଗୋପପୁର କଥା ମନେ ମନେ ସ୍ମରି
ରଥରେ ବସି ତୁ ହେଉ ବାହାର ।
କଳା ଠାକୁର ମୋ କଳା ଠାକୁର
ସୁଖ ଦେଲେ କାଳେ ଭୁଲିଯିବି ତୋତେ !
ଦୁଃଖରେ ଭରିଛୁ ମୋ' ଅମାର ଘର ,
ଯେତେ ଦୁଃଖ ଦେବୁ ଦେ' ରେ କାଳିଆ
ଶ୍ରୀଚରଣେ ଶରଣ, କୋଠ ଭୋଗ ଖିଆ,
ଲୁହ ମୁଁ ଢାଳିଲେ, କରିବୁନି ପର
ଶେଷ ଆଶ୍ରା ମୋର ତୋ' ସିଂହ ଦୁଆର ।
କଳା ଠାକୁର ମୋ' କଳା ଠାକୁର
ନୂଆ ନୂଆ ବେଶେ, ହେଉ ତୁ ସଜେଇ,
ଗିରିବର ତୋଳା , ନଟ ନାଗର ;
ନୁହେଁ ମୁଁ ଦାସିଆ , ଦେବି ରେ ନଡିଆ
ବାଲି ରଥ ମୋର ନାହିଁ ତ କାଳିଆ ,
ଏତିକି ମିନତୀ , ରଥଯାତରାକୁ ;
ଡାକିବୁ ଧନରେ ଲଗାଇ ଡୋର ।
କଳା ଠାକୁର ମୋ' କଳା ଠାକୁର
ଶ୍ରୀକ୍ଷେତ୍ରେ ତୋହର,ଜନମି ଥିଲି ମୁଁ
ଦେଖିଥିଲି ତୋର ରୂପ ସୁନ୍ଦର,
ଶେଷ ଇଚ୍ଛା ମୋର, କେବଳ ଏତିକି
ମରିବା ବେଳକୁ , ଦେଖିବି ତୋତେ ରେ,
ତୋ' ଦାଣ୍ଡର ଧୂଳି ବୋଳି ହୋଇ ଦେହେ
ଶବ ମୋର ଯିବ ତୋ' ସ୍ବର୍ଗ ଦୁଆର ।
