ଟିକି ଜୀବଟିଏ ବାଇଚଢ଼େଇ
ଟିକି ଜୀବଟିଏ ବାଇଚଢ଼େଇ
ଟିକି ଜୀବଟିଏ ବାଇ ଚଢ଼େଇ
ଦେଖିଛ କାହିଁ
ଉଚ୍ଚ ଗଛ ଡାଳେ ଯତନେ ଯାଇ
ବସା ବାନ୍ଧଇ ।
ନାରିକେଳ ତାଳ ଗଛରେ ତାର
ଭାରି ଆଦର
ପତର ଅଳିଆ କୁଟାରେ ରଚେ
ବସା ସୁନ୍ଦର ।
କାରିଗର ପକ୍ଷୀ ଜାତିର ବଡ଼
କୃତି ତାହାର
ବସାର ନିର୍ମାଣ କୌଶଳ ଦେଖି
ବିସ୍ମିତ ନର ।
ଆସୁ ଝଡ଼ ବାତ୍ୟା ବରଷା ତାର
ନାହିଁତ ଡର
ତଳ ମୁହାଁ ଯେଣୁ ବସାଟି ପାଣି
ଖସେ ସତ୍ୱର ।
ଝୁଲୁ ଥାଏ ବସା କୋଠରୀ ହୋଇ
ଥାଏ ତିଆର
ଖାଦ୍ୟ ସଂରକ୍ଷଣ ପାଇଁକି ଥାଏ
ବ୍ୟବସ୍ଥା ତାର ।
ଥଣ୍ଟରେ ବୁଣଇ ବସାକୁ କରି
କେଡ଼େ ସୁନ୍ଦର
ହାତ ଥାଇ ନର ନପାରେ କରି
ଏପରି ଘର ।
ଧନ୍ୟ ହେ ଈଶ୍ୱର ବିଚିତ୍ର ତୁମ
ଅପୂର୍ବ ଲୀଳା
ବାଇ ଚଢ଼େଇକୁ ଦେଇଛ ଦିବ୍ୟ
ଭାସ୍କର୍ଯ୍ୟ କଳା ।
ନର ଆଜି ସାଜି ଭଗାରି ହେଲା
ସଭିଙ୍କୁ କାଳ
ସାରିଲା ଅରଣ୍ୟ ସମ୍ପଦ ବଡ଼
ବୃକ୍ଷ ନିର୍ମୂଳ ।
ଗାଁ ପାଖ ଆଶ୍ରା ଛାଡ଼ିଲେ ବାୟା
ଛପିଲେ କାହିଁ
ଦୁର୍ଲ୍ଲଭ ବିହଙ୍ଗ ବିଲୋପ ହେଲା
ଦେଖୁନୁ କାହିଁ ।
