ଜଗନ୍ନାଥ ସେ ମୋ ଜଗନ୍ନାଥ
ଜଗନ୍ନାଥ ସେ ମୋ ଜଗନ୍ନାଥ


ଜଗନ୍ନାଥ,ସେ ମୋ ଜଗନ୍ନାଥ
ଜଗନ୍ନାଥ, ସେ ମୋ ଜଗନ୍ନାଥ
ଚରାଚର ବିଶ୍ୱେ ବରିଷ୍ଠ ଦିଅଁ ସେ
ବ୍ରହ୍ମଦାରୁ ହରି ରାଧାକାନ୍ତ ।
ବିଚିତ୍ର ମାନବ ଲୀଳା ତାର
ବାରମାସେ ତେର ପର୍ବ ଯାର
ସଂସାର ବାହାର ଘୋଷ ଯାତ୍ରା ସାର
ନବ ଦିନାତ୍ମକ ସୁବିଖ୍ୟାତ ।
ଘେନି ଭାଇ ଭଗ୍ନୀ ସଙ୍ଗତର
ବୁଲି ଯିବେ ମାଉସୀ ମା ଘର
କରମ ବେଦୀରୁ ଜନମ ବେଦୀକୁ
ଯାତ୍ରା ବରଷକେ ଥରେ ମାତ୍ର ।
ରାଜ ରାଜେଶ୍ୱର ନରହରି
ନବ ଯଉବନ ବେଶ ଧରି
ପହଣ୍ଡି ବିଜୟ କରି ସର୍ଵମୟ
ମଣ୍ଡିଲେ ଗରୁଡ଼ଧ୍ଵଜ ନାଥ ।
କାମପାଳ ତାଳଧ୍ଵଜ ପରେ
ଭଦ୍ରା ମା
ତ ଦର୍ପ ଦଳନରେ
ଭୁବନ ମୋହନ ରୂପ ସନ୍ଦର୍ଶନ
ଲକ୍ଷ ଲକ୍ଷ ଭକ୍ତ ସମାୟାତ ।
କୀଟୁ ବ୍ରହ୍ମ ଯାଏ ସ୍ତୁତି ରତ
ଧାତା ହର ପୁରନ୍ଦର ନତ
କମ୍ପେ ବଡ଼ଦାଣ୍ଡ ଉଛୁଳେ ବ୍ରହ୍ମାଣ୍ଡ
ସର୍ବ ମୁଖେ ଜୟ ଜଗନ୍ନାଥ ।
ପତିତ ପାବନ କୃପାସିନ୍ଧୁ
ଭକତ ବତ୍ସଳ ଦୀନବନ୍ଧୁ
ପତିତ ତାରଣେ ବିଜୟେ ସ୍ୟନ୍ଦନେ
ବାଣୀ ରମା ହୃଦ କଳାନାଥ ।
ଭାବ ବିନୋଦିଆ ଦୁଃଖ ହାରୀ
ଚଉବର୍ଗ ଦାତା ଚକ୍ର ଧାରୀ
ଟେକିଦେଲି ହାତ କାଳିଆ ସାଆନ୍ତ
ତୋଳିନିଅ ନୀଳଗିରି ନାଥ ।
ଆତ୍ମାରାମ ସତ୍ୟ ସନାତନ
ପରଂବ୍ରହ୍ମ ନିତ୍ୟ ନିରଞ୍ଜନ
କିମ୍ପାଇ ବିମୁଖ କ୍ଷମ କଳାମୁଖ
ଘେନ ଜଗାଧମ ପ୍ରଣିପାତ ।