ତୋ ଚକା ନୟନକୁ
ତୋ ଚକା ନୟନକୁ


ତୋ ଚକା ନୟନକୁ ଚାହିଁ ଦେଲେ ଥରେ କଟିଯାଏ ସବୁ ଦୁଃଖ
କାଳିଆ ବୋଳିକି ଡାକିଦେଲେ ଥରେ ହସିଦେଉ ପଦ୍ମମୁଖ
କୋଟି ଲାବଣ୍ୟ ପସରା ଧରି
ନୀଳାଚଳେ ଅଛୁ ବିଜେକରି
କୋଟି ଓଡ଼ିଆର ମଉଡ଼ମଣି ତୁ ନୀଳମଣି ସର୍ବ ସୁଖ ||
ଭାବ ବିନୋଦିଆ ମୋ କଳା କହ୍ନେଇ ଦୁଃଖୀଧନ ନୀଳମଣି
ଚଉ ବର୍ଗ ଦାତା ଜଗତ କରତା ଭକ୍ତ ସ୍ତୁତି ଚିନ୍ତାମଣି
ତୋର ନୀଳଚକ୍ର ଶୋଭା ଦେଖି
ମୋର ଆଖି ଯାଏ ତହିଁ ଲାଖି
ପତିତ ପାବନ ଉଡ଼େ ଘନ ଘନ ସକଳ ଆଶ୍ଚର୍ଯ୍ୟ ଖଣି ||
ତୋର ବାଇଶି ପାହାଚେ ଗଡ଼ିଗଲେ ଥରେ କଟିଯାଏ ପାପରାଶି
ଆନନ୍ଦ ବଜାରେ ବୁଲିଲେ ମଜାରେ ମହାପ୍ରସାଦକୁ ଚାଖି
କଣିକାଏ କୈବଲ୍ୟ ତୁଣ୍ଡରେ
ଖାଇ ହାତ ପୋଛିଲେ ମୁଣ୍ଡରେ
ଅମରାବତୀର ସୁଖର ଆସର ହାତରେ ପଡ଼ିବ ଖସି ||
ଚରାଚର ନାଥ କାଳିଆ ସାଆନ୍ତ ରାଜରାଜେଶ୍ୱର ହରି
କୀଟୁ ବ୍ରହ୍ମ ଯାଏ ଯାହାର ଶରଣେ ରହିଥାନ୍ତି ଆଶ୍ରା କରି
ରୂପ ନାଚୁଥାଉ ନୟନରେ
ଶୟନରେ ଅବା ସପନରେ
ଭାଷେ ଜଗନ୍ନାଥ ହେ ଜଗତନାଥ ଭବ ସିନ୍ଧୁ କର ପାରି ||