ଭାବ ବିନୋଦିଆ
ଭାବ ବିନୋଦିଆ


ଭାବବିନୋଦିଆ ଠାକୁର ମୋର କଳା କହ୍ନେଇ
ଭକତ ଭାବକୁ ପାଇବାପାଇଁ ଥାଏ ଅନେଇ ।
ଭକତ ଦୁଃଖରେ କାନ୍ଦଇ ସୁଖେ ହସଇ ସିଏ
ଭକତ ପାଇଁକି ସକଳ କଷ୍ଟ ମୁଣ୍ଡେଇ ନିଏ ।
ଭକ୍ତ ଶିରୋମଣି ବଳିଆ ପାଇଁ ସଦା ବାଇଆ
ଦିନେ ନଦେଖିଲେ ରୁଚେନା ତାଙ୍କୁ ଅନ୍ନ ଥାଳିଆ ।
ରାତି ଅଧେ ନିଦ ଭାଜିଲା ଉଠି ଚକା ନୟନ
ବଳିଆ ସାକ୍ଷାତ ପାଇଁକି ମନ ହେଉ ଉଛନ୍ନ ।
ପିଣ୍ଢାରେ ଶୋଇଛି ବଳିଆ ତାକୁ ଭେଟିଲେ ଯାଇ
ଆସ ମୋ ସାଙ୍ଗରେ ଚଞ୍ଚଳ କହି କମଳା ସାଇଁ ।
ବଡ଼ ପଣ୍ଡାଙ୍କର ବାଡ଼ି ପଟକୁ କଲେ ଗମନ
କହିଲେ ବଳିଆ ପଣସ ଖାଇବାକୁ ମୋ ମନ ।
ପାଚିଲା ପଣସ ବାସରେ ତୋଟା ଯାଏ ମହକି
ବଳିଆ ପ୍ରଭୁଙ୍କ ଏ ରୀତି ଦେଖି ଉଠେ ଚମକ ।
କୋମଳେ କମଳ ଲୋଚନ ବଳରାମେ ଅନାଇ
ବୋଇଲେ ଗଛରେ ଚଢ଼ି ତୁ ଗୋଟେ ଆଣ ଛିଣ୍ଡାଇ
କରଯୋଡି କହେ ବଳିଆ ଚୋରି କରିବା ପାଇଁ
କେଉଁପରି ପ୍ରଭୁ କହୁଛ ଏ ମୋ ଯାତକେ ନାହିଁ ।
ଗଛ ଚଢ଼
ା ମୁଁ ତ ଶିଖିନି ପୁଣି ଘନ ଅନ୍ଧାରେ
କିପରି ଚଢ଼ିବି କାଳିଆ ମୁହିଁ ବୁଝି ନପାରେ ।
ନଇଁ ପଡ଼ୁଛି ମୋ ପିଠିରେ ଭରା ଦେଇ ଵହନ
ଉଠି ଯାଅ ସାଙ୍ଗ ଗୋଟିଏ ତୋଳି ଆଣ ମୋ ଧନ ।
ତର ତରେ ଗୋଟେ ଛିଣ୍ଡାଉ ଖସି ପଡ଼ିଲା ତଳେ
ଜଗୁଆଳି ନିଦ ଭାଜିଲା ପାଟି କଲା ଉଚ୍ଚରେ ।
ଅନ୍ତର୍ଦ୍ଧାନ ହେଲେ ଶ୍ରୀହରି ଗଛେ ଅଛି ବଳିଆ
ଧରି ନେଇ ତାକୁ ମାଲିକ ପାଶେ କରିଲେ ଠିଆ ।
ଉତ୍ତମ ମଧ୍ୟମ ପିଠିରେ ଦେଇ କଲେ ବନ୍ଧନ
ସକାଳୁ ବିଚାର ହୋଇବ କହି କଲେ ଶୟନ ।
ବଳିଆ ଚିନ୍ତଇ କାଳିଆ ତୁତ ବଡ଼ ଛଳିଆ
ଭାବରେ ଅଭାବ କରିଲୁ କିଆଁ ନୀଳାଚଳିଆ ।
ଏଣେ ବଡ଼ପଣ୍ଡା ନିଦରେ ଦେଖୁଛନ୍ତି ସପନ
ମୋ ପ୍ରିୟ ଭକ୍ତକୁ ବନ୍ଧନୁ ଶୀଘ୍ର କର ମୋଚନ ।
ପ୍ରଭାତରୁ ପଣ୍ଡା ଫିଟାଇ ଦେଇ ଭକ୍ତ ବନ୍ଧନ
ପାଦତଳେ ହେଉ ନମନ ବଳି ଭାଷେ ଏସନ ।
ହଟିଆ ନଟିଆ କୂଟିଆ ମାୟାଧର ମୋହନ
ତୋର ଲୀଳା କିଏ ବୁଝିବ ମୋର ଜୀବନ ଧନ୍ୟ ।