ଅଭୁଲା ରାଇଜେ ଅଲିଭା ସ୍ମୃତି
ଅଭୁଲା ରାଇଜେ ଅଲିଭା ସ୍ମୃତି
ତୀର୍ଥ ସୁପବିତ୍ର ବାରୁଣୀ ସାନିଧ୍ୟ
ସମୁଚ୍ଚରେ ବେଦ ପ୍ରଣବ ଧ୍ବନି
ସ୍ବର୍ଣ୍ଣପ୍ରସୂ ଥିଲା ଉତ୍କଳ କଟକ
ପୁଣ୍ଯ ବୈତରଣୀ ବିରଜା ଭୂମି ।
ରାଜନ ଯଯାତି ଜିଣିଥିଲେ ଗଡ
ଆକୁମାରୀ ହିମାଚଳ ଭାରତ
କରିଥିଲେ ଯଜ୍ଞ ଦଶ ଅଶ୍ୱମେଧ
ଯଶ କୀର୍ତ୍ତିମାନେ ପୁର ମଣ୍ଡିତ ।
ବିରାଜୁ ଅଛନ୍ତି ସପତ ମାତୃକା
ପ୍ରଭୁ ମହାବିଷ୍ଣୁ ବରାହନାଥ
ତ୍ରିଲୋଚନେଶ୍ଵର ବାବା ସିଦ୍ଧେଶ୍ବର
ସର୍ବତ୍ର ସ୍ଵୟମ୍ବୁ ଶିବ ପ୍ରକଟ ।
ଗୋଟିଏ ଶିଳାରେ ହୋଇଛି ନିର୍ମିତ
ବିରଳ ଅତ୍ଯନ୍ତ ଶ୍ରୀ ଶୁଭସ୍ତମ୍ଭ
ଲକ୍ଷ୍ମୀ ସରସ୍ବତୀ ବିଜେ ମହାଶକ୍ତି
ଦର୍ଶନ ବିରଜା ଶୁଭ ଦୁର୍ଲଭ ।
ଗଦାକ୍ଷେତ୍ର ଭାବେ ରହିଛି ପ୍ରସିଦ୍ଧି
ନିର୍ମିତ ପ୍ରାଚୀନ ଅଠରନଳା
ମହିମା ମଣ୍ଡିତ ଐତିହ୍ଯ ଭଣ୍ଡାର
ତପୋଭୂମି ନାଭିଗୟା ବିରଳା ।
ପ୍ରଗଣା ବରୁଆଁ ଉଣେଇଶା ସେତୁ
ବିିଜୟର ପଥେ ରହି ସ୍ମାରକୀ
ବଖାଣୁଛି ଏବେ ସଂଗ୍ରାମର ଗାଥା
ଝଡଝଞ୍ଜା କେତେ ଯାଇଛି ବିତି ।
ଗଢିଛି ଏ ଜାତି ପୁରୀ କୋଣାରକ
ଖୋଜିଛି ଜୀବନେ ଶାନ୍ତି ମୁକତି
ଭକ୍ତି ସମନ୍ବୟେ ମହକେ ମୋ ମାଟି
ଅଭୁଲା ରାଇଜେ ଅଲିଭା ସ୍ମୃତି ।
