STORYMIRROR

LALIT MOHAN DASH

Abstract Classics Children

4  

LALIT MOHAN DASH

Abstract Classics Children

ଗ୍ରୀଷ୍ମ ଭାବନା

ଗ୍ରୀଷ୍ମ ଭାବନା

1 min
9


ଆସିଲା ବଇଶାଖ ଜ୍ୟେଷ୍ଠ

       ପ୍ରଚଣ୍ଡ ନିଦାଘର କଷ୍ଟ

ଶୁଖିଲା ପଙ୍କ ସରସୀର

       ଦୁର୍ଗତି ଜଳଚରଙ୍କର ll


ଶୁଷ୍କ ପାଦପ ଶୁଷ୍କ ମହୀ

    ପାଦ ଭୂମିରେ ନୁହେଁ ଥୋଇ

ପ୍ରଖର ବହେ ଶୁଷ୍କ ଝାଞ୍ଜି

      ଭରସା ପଖାଳ ଓ କାଞ୍ଜି ll


ଝିଙ୍କାରି ଝିଇଁ ଝିଇଁ ନାଦେ

    ମହୀ କମ୍ପଇ ବୀର ବାଦ୍ୟେ

ନିରବି ଗଲେଣି କୋକିଳ

     ଚାତକେ ମାଗିଲେଣି ଜଳ ll


ହନୁ ଲାଙ୍ଗୁଳେ ବୈଶ୍ୱାନର

     ଭବିଷ୍ୟ କଲେ ପାଞ୍ଜିକାର

ଡହକ ଚକଡା଼ ଲଗାଣ

       ଆବର ସର୍ବତ୍ର ଲଗାଣ ll


ପ୍ରବଳ ହେବ ଝଞ୍ଜାବାତ

       ଗୁଳୁ ଗୁଳି ଓ ଅଗ୍ନ୍ୟୁତ୍ପାତ

ମାନବେ ହୁଅ ସାବଧାନ

      ଗ୍ରୀଷମେ କର ଜଳ ଦାନ ll


ଗ୍ରୀଷ୍ମ ବିନୋଦେ ବନମାଳୀ

     ବାହାରିଲେଣି ଚାପ ଖେଳି

ଖଣ୍ଡ ଚନ୍ଦନ ମଣ୍ଡି ଅଙ୍ଗେ

      ଶରୀର ଶୀତଳନ୍ତି ରଙ୍ଗେ ll


ଭୂମିରୁ ଶୋଷି ଜଳ ମଳ

     ସୂର୍ଯ୍ୟ ଶୃଜିଲେ ମେଘମାଳ

ଜ୍ୟେଷ୍ଠର ଶେଷରେ ଆଷାଢ଼

      ଆକାଶେ ମେଘ ଘଡ଼ ଘଡ଼ ll


ବଜ୍ର ନାଦରେ କମ୍ପେ ମହୀ

       ମେଘେ ବିଜୁଳି ଚମକଇ

ଶୀତଳ ସନ୍ତାପିତ ମହୀ

       ଗ୍ରୀଷମ ପଳାଇଲା ଧାଇଁ ll


ରଥରେ ଚକ୍ରୀ ଚକ୍ରଧର

      ଚକ୍ରରେ ଘୁରାନ୍ତି ସଂସାର

ନମସ୍ତେ ବିଶ୍ୱ କାରିଗର

       ଅଗତି ଗତି ପ୍ରାଣୀଙ୍କର ll


   


Rate this content
Log in

Similar oriya poem from Abstract