ଆରେ ବିଚଳିତ ମନ !
ଆରେ ବିଚଳିତ ମନ !
ସବୁ ସକାଳ ସଞ୍ଜରେ ବଦଳି ଯାଏ
ସବୁ ଅନ୍ଧାର ଆଲୁଅରେ ଝଲସୁଥାଏ
ଆରେ ବିଚଳିତ ମନ !
ଶୁଣ୍ ଥରେ ମୋ କଥା ଗହନ
ଏମିତି ଉଦାସ ରହିଲେ କିସ ହେବ
ସବୁ ଅଶୁଭ ସମୟ ପରା
ଶୁଭ ସମୟରେ
ରୂପାନ୍ତରିତ ହୁଏ ଘନ ଘନ
କାରଣ ବଦଳିବା ହିଁ ଚିରନ୍ତନ ।୧
ସବୁ ମଞ୍ଜି ଅଙ୍କୁରରେ ବିକସିତ ହୁଏ
ସବୁ କଢ଼ ପ୍ରସୁନରେ ପରିବର୍ତ୍ତିତ ହୁଏ
ଆରେ ବାଉଳା ମନ !
ମାନ୍ ଥରେ ମୋ କଥା ମହାନ
ଏମିତି ଭାଙ୍ଗି ପଡିଲେ କେମିତି ହେବ
ସବୁ ଅମାବାସ୍ୟା ପରେ ପରା
ଜ୍ୟୋତ୍ସ୍ନା ବିଧୌତ ପୂର୍ଣ୍ଣମୀ ତିଥିରେ
ବଦଳିଥାଏ ଘନ ଘନ
କାରଣ ବଦଳିବା ହିଁ ଚିରନ୍ତନ ।୨
ସବୁ ଫଳ କଞ୍ଚାରୁ ପାକଳ ହୁଏ
ସବୁ ମିଥ୍ୟା ସତ୍ୟକୁ ଜୁହାର ହୁଏ
ଆରେ ପାଗଳ ମନ !
ଭାବ୍ ଥରେ ମୋ ଗହନ ଚିନ୍ତନ
ସବୁ ବିଫଳତା ପରେ ପରା
ସଫଳତାର ଅରୁଣିମା ବୁଣେ ଘନ ଘନ
କାରଣ ବଦଳିବା ହିଁ ଚିରନ୍ତନ ।୩
