ଶ୍ରେଷ୍ଠ ସଂଳାପ
ଶ୍ରେଷ୍ଠ ସଂଳାପ
କବିତା - ଶ୍ରେଷ୍ଠ ସଂଳାପ
ରଚନା - ପଞ୍ଚାନନ ଜେନା
ତାରିଖ -୦୨-୦୩-୨୦୨୬
+++++++++++++
କେତେ ବିସାଦ ଲାଗେ
କେତେ ଅବସାଦ ଲାଗେ
ଦେଇ ପାରିଲି ନାହିଁ ଦଶ ଟଙ୍କା ହାତରେ
ପୁଅଟା ମୁଣ୍ଡିଆ ମାରି ଯାଉଛି
ମାର୍ଟିକ ବୋର୍ଡ ପରୀକ୍ଷା ଦେବାକୁ ଆଗେ
କେତେ ଶୂନ୍ୟଝରି ଲାଗେ
କେତେ ହତଶିରୀ ଲାଗେ
ଦେଇ ପାରିଲି ନାହିଁ
ଦହି-ଚିନି ଚାମୁଚେ ଶୁଭଦାୟକ
ବସେଇ ପାରିଲି ନାହିଁ
ଶୁଭକୁମ୍ଭ ଉପରେ ନାସିଲଗା ପଇଡ଼ ଶୁଭଚାୟକ
ଲଗେଇ ପାରିଲି ନାହିଁ
ଭୋଗରାଗ ଫୁଲଫଳ ସହିତ ଦକ୍ଷିଣା
ମନ୍ଦିର ଯାଇ ବିଘ୍ନନାଶକ
ପୁଅଟା ଜୁହାର ହୋଇ ଯାଉଛି
ଦଶମ ଗଣିତ ପରୀକ୍ଷା ଦେବାକୁ ବାଗେ
କେତେ କଷ୍ଟକର ଲାଗେ
କେତେ ଥୁଣ୍ଟାକ୍ଷର ଲାଗେ
ଯାଇ ପାରିଲି ନାହିଁ ପରୀକ୍ଷା କେନ୍ଦ୍ରକୁ
କପି ଦେବାକୁ
ଅନ୍ୟମାନଙ୍କ ପରି
ଜ୍ଞାତି କୁଟୁମ୍ବମାନଙ୍କୁ ବି ଠେଲି ପେଲି
ପଠେଇ ପାରିଲିନି ଯେନ ତେନ ପ୍ରକାରେଣ
ସାହାଯ୍ୟ କରିବାକୁ
ଅନ୍ୟ ଅଭିଭାବକଙ୍କ ପରି
ପୁଅଟା ଓଳଗି ହୋଇ ଯାଉଛି
ମାଟ୍ରିକ ଇଂରାଜୀ ପରୀକ୍ଷା ଦେବାକୁ ରାଗି
ପରୀକ୍ଷା ସରିଲା ପରେ ଭାବିଛି
ପୁଅକୁ ବୁଝେଇ ଦେବି
ମଧ୍ୟବିତ୍ତ ଘରେ ଜନ୍ମ ହେଲେ
ମାରିବାକୁ ପଡ଼େ ଆସନ୍ନ ଆପତ୍ତି ଅଭିଯୋଗ
ଆତ୍ମାହୁତି ଦେବାକୁ ପଡ଼େ
ଅସରନ୍ତି ଭାବନା ବିପତ୍ତିର ଅସହଯୋଗ
ପୁଅକୁ ବୁଝେଇ ଦେବି
ସୁଅ ମୁଁହରେ ପତର ପରି ନ ଭାସି
ନିଜ ହାତମୁଠାକୁ ସସକ୍ତ କର
ନୀରବତା ହିଁ ଶ୍ରେଷ୍ଠ ସଂଳାପ ଶ୍ରେଷ୍ଠତମ ବିଳାପ
ନିଜ ମନୋବଳକୁ ସମର୍ପିତ କର ।
