ଲୁହ କବର
ଲୁହ କବର
କବିତା - ଲୁହ କବର
ରଚନା - ପଞ୍ଚାନନ ଜେନା
ତାରିଖ -୧୫-୦୩-୨୦୨୬
++++++++++++++++++
ରଙ୍ଗ ସବୁକୁ ଆଦରେ ଗୋଳେଇ ଦେଲି
ଫେଣ୍ଟୁ ଫେଣ୍ଟୁ ଘାଣ୍ଟି ମିଶେଇ ଦେଲି
ସାରା ଆକାଶଟା ଦିଶୁଥିଲା ନିଳିମାମୟ ଅମ୍ବର
ଭ୍ରମ ସବୁକୁ ମସିଣା ଉପରେ ବିଛେଇ ଦେଲି
ଝାଟୁ ଝାଟୁ ଧୂଳି ଉଡେଇ ସଫାସୁତୁରା କରି ଦେଲି
ଅତୀତ ଅଗଣାଟା ଚକ୍ ଚକ୍ ଶୁଭ୍ରମୟ ଭାସ୍ୱର
ତର୍କ ସବୁକୁ ଧୌଯ୍ୟର ଗୁଆକାତିରେ ଖଣ୍ଡ ଖଣ୍ଡ କରିଦେଲି
ସିଳରେ ବାଟୁ ବାଟୁ ଚଟୁଣି କରିଦେଲି
ଜୀବନ ଅଳନ୍ଧୁମୁକ୍ତ ଶୂନ୍ୟବ୍ରହ୍ମ ମାନବୀୟ
ନସ୍ବର
ସୂତ୍ର ସବୁକୁ ମନଚୁଲିରେ ଜଳେଇ ଦେଲି
ଟିକି ଟିକି ଜାଳ ପରି ଭିତରେ ପୁରେଇଦେଲି
ହୁତୁହୁତୁ ଜଳୁଜଳୁ ଗାଉଥିଲା ପ୍ରଭାମୟ ସ୍ୱର
ଇଚ୍ଛା ସବୁକୁ ଗଣ୍ଠିଲି ବାନ୍ଧି ଟେକି ଦେଲି
ଗଣି ଗଣି କରି ଆଲମିରାରେ ପୁରେଇଦେଲି
ଆଖି ଆଗରେ କେବେ କେବେ ଦିଶିଲେ ଲୁହ କବର
ଆଶା ସବୁକୁ ପଘା ଦେଇ ଦିର୍ଘଶ୍ୱାସ ନେଲି
କୁର୍କଟିଆ ଗଣ୍ଠି ପକେଇ ଖୁଣ୍ଟରେ ବାନ୍ଧି ଦେଲି
ବେଳ ଅବେଳରେ ମନ ମୂଳଲକରେ ଝଲସି ଗଲେ ସ୍ବପ୍ନ ସୁନ୍ଦର
କଳ୍ପନା ସବୁକୁ ଚନ୍ଦନ ଲଗେଇ ଶୋଏଇଦେଲି
ସ୍ବପ୍ନରେ ଗଣୁ ଗଣୁ ଗୁଣୁଗୁଣୁ ହୋଇ ଶୋଇଗଲି
ବିଚରା ମାନେ କେବେ ମୁଣ୍ଡ ଟୁଙ୍ଗାରିଲେ ସୃଷ୍ଟି ସମ୍ଭାର
ଭାବନା ସବୁକୁ ମୁଠେଇ ଗୋଟେଇ ପୁରେଇଲି
ଉପର ତଳ କରି ମନ ସିନ୍ଦୁକରେ ସାଇତି ରଖିଲି
କେବେ କେମିତି ଖୋଲିଗଲା ବେଳେ ସମ୍ମୋହନ ଅନ୍ଧାର
