ଖୁସି ପଟାଳି
ଖୁସି ପଟାଳି
କବିତା - ଖୁସି ପଟାଳି
ରଚନା - ପଞ୍ଚାନନ ଜେନା
ତାରିଖ -୧୧-୦୩-୨୦୨୬
++++++++++++++++
ଖୋଜୁଛି ମନେ ମନେ
ନିରୋଳା ଅପରାହ୍ନେ ନିକାଞ୍ଚନେ
ସେହି ସୁନ୍ଦରୀ ପରୀ ମାନଙ୍କର
ଅଳି ଅର୍ଦ୍ଦଳିରୁ ଗିନେ ଗିନେ
ଯେଉଁମାନେ ମୋ ବାଳୁତ ବେଳର
ଓଉ ଗାଲକୁ ଚିପିଦେଇ
ଥଟ୍ଟା କରୁଥିଲେ
ବାହା ହେବାକୁ ଦିନେ ନା ଦିନେ
ଭାଳୁଛି ମନେ ମନେ
ନିରବେ ନିଶିଥେ ନିମଗ୍ନେ
ସେହି ହାସ୍ୟବଦନା ଅମୃତବଚନା ମାନଙ୍କର
ଆକୁଳ ନିବେଦନରୁ ଆଞ୍ଜୁଳାଏ ଭିନେ
ଯେଉଁମାନେ କୋଳେଇ କାଖେଇ ନେଇ
ଚୁମା ଦେଉ ଦେଉ କହୁଥିଲେ
ଉଡେଇ ନେ ରେ ଛତରା ଟୋକା କୌତୁକ ମନେ
ଭାବୁଛି ମନେ ମନେ
ବହଳିଆ କାଳି ଅନ୍ଧାର ଆନନେ କାନନେ
ଟଗର ଗଛମୂଳେ ଭେଟ ହେଉଥିବା
କନିଅର ଗଛ ମୂଳେ ଭେଳା ବାନ୍ଧୁଥିବା
ସେହି ହାସ୍ୟମୟୀ ଲାସ୍ୟମୟୀ କୁମାରୀମାନେ
ଯେଉଁମାନେ ଫୁଲ ତୋଳି ଦେବାକୁ
ନେହୁରା ହେଉ ହେଉ
ଫୁଲ ଫୋପାଡୁ ଥିଲେ
ଫୁଲ ଶର ନିକ୍ଷେପ କରୁଥିଲେ
ଗେହ୍ଲେଇ ହୋଇ ଖତେଇ ହୋଇ
ଗାଉଥିଲେ କି
ମୋତେ ବାନ୍ଧି ନେ ରେ ଫୁଲ ରସିଆ
ମୋତେ କାନ୍ଧି ନେ ରେ ଫୁଲ ବାସିଆ
ଯଦି ନ ବାନ୍ଧିବୁ
ଯଦି ନ କାନ୍ଧିବୁ
ତୋ ପଛେ ପଛେ ଘୁରି ବୁଲିବି ସାରା ଦୁନିଆ
ବୁଝିଛି ଅଫେରା ଅତୀତ
ଜାଣିଛି ସୁନେଲି ଅତୀତ ବିଗତ
ତଥାପି
ସେହି କୋମଳ ବୟସର କାକଳୀ
ସେହି କୌଶରାବସ୍ଥାର ଚପଳ ଛନ୍ଦ ଚଇତାଳି
ନିରୋଳାରେ ବସି ଭାବିଦେଲେ
ବ୍ୟସ୍ତ ବିବ୍ରତ ମନରେ
ଚନ୍ଦନ ଟିପା ପରି ମୁରୁକି ହସଟା
ବାନ୍ଧିପାରେ ହସଖୁସିର ପଟାଳି

