ସ୍ଵାଧୀନ ଅର୍ବାଚନ
ସ୍ଵାଧୀନ ଅର୍ବାଚନ
କବିତା - ସ୍ଵାଧୀନ ଅର୍ବାଚୀନ
ରଚନା - ପଞ୍ଚାନନ ଜେନା
ତାରିଖ -୧୭-୦୩-୨୦୨୬
++++++++++++++++++
କେବେ ହସିବା ମନା
କେବେ କାନ୍ଦିବା ମନା
କେବେ ଉଚ୍ଚସ୍ୱରେ କଥା ହେବା ବି ମନା
ଆଉ ଏହି ମନା ଭିତରେ ଲାଗେ ଅନମନା
ସ୍ୱାଧୀନ ଭାରତର ସ୍ଵଚ୍ଛନ୍ଦ ନାଗରିକ
ଗର୍ବରେ କହିବାକୁ ଭାବିବାକୁ ଲାଗେ ଅସନା
ଜାଣି ବି ଅଜଣା ଅଭିନୟ
ଶୁଣି ବି ଅଶୁଣା ଅନୁନୟ
ଛାଣି ବି ଅଛଣା କତିପୟ
ଯେମିତି ମାଟିଦୀପ ଟିଏ
ଜାଣିଛି ନିଜ ତଳ ଗାଢ଼ ଅନ୍ଧାର
ଜାଣିଛି ନିଜ ପାଇଁ ସାଇତା କଳା କିଟି କିଟି ଜହର
ତଥାପି ଆଲୋକ ବାଣ୍ଡୁଥାଏ ସବିନୟ
ଆଗ୍ରହେ ସାଗ୍ରହେ ଉର୍ଦ୍ଧ୍ୱମୂଖୀ ବିନୀତ ବିନୟ
ଘଟଣା ଦୁର୍ଘଟଣାରେ ଭରା ଏ ଜୀବନ
ଖବର ନ ଥାଏ ଘରକୁ
ଛୋଟ କାଟିଆ ଘଟଣା ଟେ ଘଟିଗଲେ
ତୁଣ୍ଡ ବାଇଦ ପରି ପରକୁ
ଦାଣ୍ଡ ଦୁଲୁକି ଯାଏ ସାରା ସହର ପ୍ରଳୟ
ସବୁରି ମୁଁହରେ ମୂଖ୍ୟ ଖବର ତାଣ୍ଡବାଳୟ
ଅନ୍ଧାରୀ ମୁଲକରେ
ଅମାବାସ୍ୟାର
କାଳରାତ୍ରୀ
ପାହେ ନାହିଁ
ଜୀବନ ନାଟକ ସରିବା ପର୍ଯ୍ୟନ୍ତ
ଅଗ୍ରସର ହେଲେ
ସୁଖାନ୍ତ ଜହ୍ନ ଟା ବି ଉଇଁ ଆସେନାହିଁ
ଝଡିପୋକର ଛାର ଏ ଜୀବନ
ଝରି ଯିବାରେ ହିଁ ସ୍ଵାଧୀନ ଅର୍ବାଚୀନ
ଅନ୍ତଃର୍ମନରେ ଭାବୁ ଭାବୁ
କ୍ଷଣିକ ଉନ୍ମାଦରେ
ଆକାଶ କୋଳକୁ
ଉଡି ଯିବାର
ଦୁର୍ବାର ଇଚ୍ଛା ପ୍ରକାଶ କରୁ କରୁ
ଆଶୁ ମୃତ୍ୟୁ ହିଁ ପକ୍ଷ ଛେଦନ ସମାପନ
ବେଙ୍ଗ ଝିଟିପିଟିର ଉଦର ଭକ୍ଷଣ ଦହନ
କ୍ଷଣ ଭଙ୍ଗୁର ଦୀପଶିଖା ନିର୍ବାପିତ ବିଷ ବପନ ।
