ଆତ୍ମା ଆସ୍ଥାନ
ଆତ୍ମା ଆସ୍ଥାନ
କବିତା - ଆତ୍ମା ଆସ୍ଥାନ
ରଚନା - ପଞ୍ଚାନନ ଜେନା
ତାରିଖ -୧୬-୦୩-୨୦୨୬
++++++++++++++++
ଆଖି ବୁଜିଦେଲେ
କେହି ଜଣେ ଦିଶି ଯାଉଛି
ଆଖି ଖୋଲିଦେଲେ
କେହି ଜଣେ କାଶି ଦେଉଛି
ମୋତେ କାହିଁ ଛାନିଆ ଲାଗୁଛି
ସତେ ଯେମିତି
କେହି କିଛି କହିବାକୁ ଚେଷ୍ଟା କରୁଛି
ଆଖି ଦଉଡି ଆଣିଲେ
କେହି ଜଣେ ଦୌଡି ପଳଉଛି
ଆଖି ପହଁରି ଚାହିଁଲେ
କେହି ଜଣେ କଣେଇ ଦେଖୁଛି
ମୋତେ ଭାରି ଡର ମାଡୁଛି
ସତେ ଯେମିତି
ଫୁଲ ସମ୍ଭାର ନେଇ ଫଗୁଣଟା ଗାଉଛି
ଆଖି ତରାଟି ନିରେଖିଲେ
କେହି ଜଣେ ଖତେଇ ହେଉଛି
ଆଖି ଟେରେଇ ପରଖିଲେ
କେହି ଜଣେ ଇଶାରା କରୁଛି
ଛାତି ଖାଲି ଧଡ଼ ଧଡ଼ ଥରୁଛି
ସତେ ଯେମିତି
କୋଳେଇ ନେବାକୁ କେହି ପ୍ରୟାସ କରୁଛି
ଆଖି ଉଲଟାଇ ଚାର୍ହିଲେ
କେହି ଜଣେ ମୁରୁକି ହସୁଛି
ଆଖି ତରକେଇ ଦେଖିଲେ
କେହି ଜଣେ ଫୁଲେଇ ହେଉଛି
ଜିଭ ବାରମ୍ବାର କାମୁଡି ପକଉଛି
ସତେ ଯେମିତି
ଆପଣାର କେହି ମୀତ ବସିବ ଭାବୁଛି
ଆଖି ଗହରେଇ ଦେଖିଲେ
କେହି ଜଣେ ଅପଲକ ଚାହୁଁଛି
ଆଖି ତରଳେଇ ଚାହିଁଲେ
କେହି ଜଣେ ଆନ୍ତରିକ ଲାଗୁଛି
ମନ ମନ୍ଦିରେ ଘଣ୍ଟ ଘଣ୍ଟା ବାଜୁଛି
ସତେ ଯେମିତି
ଶୁଭ୍ର ବସନା କେହି ଜଣେ ଆରତୀ କରୁଛି
ଆଖି ପଲକରେ ଦେଖିନେଲେ
କେହି ଜଣେ ବନ୍ଦନୀୟା ଲାଗୁଛି
ଆଖି ଝଲକରେ ଚାହିଁଦେଲେ
କେହି ଜଣେ ପୂଜନୀୟା ସାଜୁଛି
ଆତ୍ମା ଆସ୍ଥାନରେ ଦେବୀ ପ୍ରତିମା ସାଜୁଛି
ସତେ ଯେମିତି
ଗିରିଜା ନନ୍ଦିନୀ ଦଶଭୂଜା ପରି ଝଲସୁଛି
