ହସ ପଛର ଛାଇ
ହସ ପଛର ଛାଇ
କବିତା - ହସ ପଛର ଛାଇ
ରଚନା - ପଞ୍ଚାନନ ଜେନା
ତାରିଖ -୧୩-୦୩-୨୦୨୬
++++++++!++++++
କୁନି ଝିଅର ଖିଲି ଖିଲି ହସକୁ
ନୀରବେ ଦେଖୁଥିବ ପିଇଯାଉଥିବ
ତା'ର ମଲ୍ଲୀ ଫୁଲିଆ ହସକୁ
ସରବେ ମାଖୁଥିବ ପରଖୁଥିବ
ସେହି ହସୁଥିବା ମୁଁହର ଜ୍ୟୋତିକୁ
ସଂଭ୍ରମେ ନିରେଖୁଥିବ ଅନୁଭବୁଥିବ
ଆଉ ଜାଣତରେ ଅଜାଣତରେ
ସ୍ୱତସ୍ଫୁର୍ତ୍ତ ଗର୍ତ୍ତ ଆବର୍ତ୍ତରେ
ମୁରୁକି ହସି ପକଉଥିବ
ଏପଟ ସେପଟ ଚାହିଁ
ପୁଣି ନୀରବଦର୍ଶକ ସାଜି ଯାଉଥିବ
ଆଉ ଯେତେବେଳେ କେହି ପଚାରି ଦେବ
ସେହି ହସ ପଛରେ ଲୁଚିଥିବା
ଅସରନ୍ତି କଷ୍ଟର ଇସ୍ତାହାର ଜାଣିଛ କି ?
ହସ ପଛର ଛାଇ
ଜାଣିବାକୁ ଚେଷ୍ଟା କରିଛ କି?
ହଠାତ୍ ମନ ଭିତରେ ଚୁପ୍ ଚାପ୍ କହୁଥିବ
କାହିଁ ଭାବିବା ?
ହସିବ ସିଏ ଭାବିବା ଆମେ
ଆମେ ସବୁ ଦେଖଣାହାରୀ
ଆମେ ସବୁ ପଥପ୍ରାନ୍ତ ଦର୍ଶକ ଗ୍ୟାଲେରୀ
ଭାବିବାକୁ କାହିଁ କରିବା କିଛି ସମୟ ନଷ୍ଟ ପ୍ରସାରୀ ?
ଇତ୍ୟାଦି ଇତ୍ୟାଦି ବିଭ୍ରାନ୍ତ ଚିନ୍ତା ଉଦ୍ରେକକାରୀ
ସତ କହିଦେଲି କି ?
ଛାତିରେ ବାଜିଗଲା କି ?
ସଭିଏଁ ଜାଣନ୍ତି କୁହନ୍ତି ପରା
ମନଖୋଲା ହସ ପରା ଓଠ ତଳମୂଳ
ମନଲୋଭା ହସ ପରା ଦାନ୍ତ ଗୁରୁକୁଳ
ମନଭୁଲା ହସ ପରା ଆତ୍ମା ଆମୂଳଚୂଳ
ଆଉ ସେହି ହସ ପଛର ମନ୍ତ୍ରଣା ଯନ୍ତ୍ରଣା
କାହିଁକି ଚୂପ କରାଏ ଅନୁଭବର ଅବଧାରଣା ?
ସେହି ଅକୁହା ସ୍ପର୍ଶକାତର ଯାତନା
ସେହି ଅଦୃଶ୍ୟ ମର୍ମକାତର ପ୍ରାର୍ଥନା
ତୁନି କରାଏ ବିବାହିତ ଝିଅକୁ
ନା ବାପ ଘରକୁ କହି ପାରେ
ନା ଶାଶୁ ଘରେ କେହି ବୁଝି ପାରେ
ନା ସମୟ ଥାଏ ସ୍ୱାମୀ ରୂପୀ ଈଶ୍ବର ପାଖରେ
ନା ସାହସ ଯୁଟାଏ ପାଟି ଖୋଲିବାକୁ
ଦରଦୀ ବନ୍ଧୁ ବାନ୍ଧବୀ ପାଖରେ
ସାହି ପଡ଼ିଶା ଆଗରେ
ନିଜର ଭାବୁଥିବା ଦରଦୀ ପାଖରେ
ହସି ହସି ସହିଯାଏ
ଭିତରେ ଭିତରେ ନହକି ଯାଏ ପଛେ
ସଙ୍କେଇ ବଙ୍କେଇ ନିଜକୁ ବୁଝଉ ଥାଏ
ପଛେ
ଅନ୍ତର ତଳେ କୁହୁଳୁଥିବା
ଅବ୍ୟକ୍ତ ବେଦନା
ଅକଥ୍ୟ ଅକୁହା ରହିଯାଏ
କେବେ ନୀରବେ ଲୁହ ରୂପେ ଝରୁଥାଏ
କେବେ ମୌନବ୍ରତଧାରୀ ରୂପେ ସହୁଥାଏ
ସେହି ଖିଲି ଖିଲି ହସର ଅଧିକାରିଣୀ
ଭିତରେ ଭିତରେ ମରୁ ଥାଏ
ସେହି ମଲ୍ଲୀ ଫୁଲିଆ ହସର ସ୍ଵତ୍ତ୍ଵାଧାରିଣୀ
ଘର କୋଣରେ ମଡ଼ା ପାଲଟୁଥାଏ
ରକ୍ତ ମାଂସର ଶରୀରେ ଚଳମାନ ହେଉଥାଏ
ମାତ୍ର ଆଜି ଜଡ କାଠଗଡ଼ ପରି
ସ୍ପନ୍ଦନହୀନ ମୃତ୍ୟୁ ପ୍ରଥର ଯାତ୍ରୀ ସାଜିଥାଏ
