STORYMIRROR

Sambit Srikumar

Tragedy Classics Inspirational

3  

Sambit Srikumar

Tragedy Classics Inspirational

ଧର୍ମଭୀରୁର ମାତୃସ୍ତବ

ଧର୍ମଭୀରୁର ମାତୃସ୍ତବ

1 min
10

ମାଆ ଗୋ!

ତୁମେ ଆସିଥିଲ ଧରାଧାମେ ଏ' ସାଲ ଫି ସାଲ ପରି

ତୁମ ଗସ୍ତର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ

ଖାସ୍ ସେଇଥି ପାଇଁକି କେତେ ଚାନ୍ଦା ଭେଦା କରି

ବହୁଦିନରୁ ହେଉଥିଲା ନଗ୍ର ଗ୍ରାମ ଆମ୍ଭର ସଜେଇ।


କମ୍ପିଉଠୁଥିଲା ତୁମ ଭବ୍ୟ ପୂଜା ମଣ୍ଡପ ମହାଆଡ଼ମ୍ବରେ

ଝଲସୁଥିଲା ବାଜା ବାଣ ଉଜ୍ଜ୍ବଳ ଆଲୋକ ରୋଷଣୀରେ

ଶୁଭୁଥିଲା ଗୁରୁ ଗମ୍ଭୀର ଆବାହନୀ ବେଦଧ୍ଵନି ମନ୍ତ୍ରୋଚାର

ମହକୁଥିଲା ଚତୁର୍ଦ୍ଦିଗ ଧୂପ ଦୀପ ଝୁଣା କର୍ପୁର ବାସ୍ନାରେ।


ପିତୃ ଆଳୟରେ ସଭିଏଁ ମଗନ କରିବାକୁ ତୁମ୍ଭର ସ୍ବାଗତ

ପାଉଥିଲ ପୂଜା ଷୋଡ଼ଶ ଉପଚାରେ ତୁମେ ଆଦିମାତ

ବିରାଜିଥିଲ ତୁମ୍ଭେ ସେଠି ହୋଇ ସୂବର୍ଣ୍ଣ ରଜତ ମଣ୍ଡିତ

ତୁମେ ଭୁଞ୍ଜୁଥିଲ ନାନା ଭୋଗରାଗ ନୈବେଦ୍ୟ ଦହିଭାତ।


ବେଢ଼ି ରହିଥିଲେ ମଣ୍ଡପେ ତୁମକୁ ଗର୍ବୀ ଖେଚଡ଼ ଦଳ

ଦର୍ପାଭିମାନରେ ତାହାଙ୍କ ଆଜି ହୁଏ ଥରହର ମହୀତଳ

ନାରୀଜାତିର ସମ୍ମାନ ଦ୍ବେତ ମାନଦଣ୍ଡ କରିଣ ଦର୍ଶନ

ମହିଷାସୁର-କଂସ-ରାବଣ ମଣନ୍ତି ଆପଣାକୁ ହୀନିମାନ।


ଏ ଅଧମ ପୁତ୍ର ତୁମ୍ଭର କରି ପାରିଲାନି ଦର୍ଶନ ମଣ୍ଡପରେ


ବ୍ୟସ୍ତ ରହି ଅଭାବୀ ସଂସାରର ବିଷମ ବିଷୟା ଜଞ୍ଜାଳରେ

ଅଭିମାନ ଅବା ଅଭିଯୋଗ ମୋର ନାହିଁ ତିଳେ ତୁମ ପାଶେ

ଧର୍ମଭୀରୁ ମୁହିଁ ସମସ୍ତ କାର୍ଯ୍ୟରେ କଥାରେ ତୁମକୁ ଭରସେ।


ଆଜି ଭସାଣୀ ବେଳାରେ ଆଖିରେ ଲୁହ ମନରେ କୋହ

ତୁମେ ତ ଜାଣ ମୋ ଅନ୍ତରର କଥା କି ଅବା କହିବି ଆଉ?

ମନ କଥା ମୋର ମନରେ ମୋ ଥାଉ ପୁଣି ଆର ବରଷକୁ

କୋଳାହଳେ ବାରେ ଶୁଣିବ ମାଆ ମନ ଦେଇ ମୋ କଥାକୁ।

ଜଗତଜନନୀ ବୋଲାଉଛ ତୁମେ ମାତ କେବେ ଥରେ ଦେଖ

ଫେଡ଼ି ଆପଣାର ନେତ୍ର ମଧ୍ୟପ୍ରାଚ୍ୟର ବିଧ୍ବଂସୀ ପ୍ରଳୟ ଦୃଶ୍ୟ

ହୃଦୟହୀନ ବିଧର୍ମୀ ଯବନ ରଚୁଛି ମୃତ୍ୟୁର ତାଣ୍ଡବ ନୃତ୍ୟ

ନୀରବେ ଦେଖୁଛି ନୀରବେ ସହୁଛି ଏ ତମାମ ବିଶ୍ବ ମଣିଷ।

କିବା ଦୋଷ ସେଇ ନିଷ୍ପାପ ଶିଶୁର କିବା ତା'ର ଅପରାଧ?

ବୁବୁକ୍ଷୁ ବାସ୍ତୁହରା ନିରାଶ୍ରୟ ଶରଣାର୍ଥୀର ଦୀନ ଜୀବନ

ବିଗଳିତ କରିବାକୁ ସମର୍ଥ ନୁହେଁ କି ତୁମ୍ଭ ହୃଦୟ ତନ୍ତ୍ରୀକୁ?

କିପରି ସହିଛ ଜଗତଜନନୀ ଏ ଧର୍ମଭୀରୁ ପଚାରେ ତୁମ୍ଭକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy