ବେଦନାର କୋହ।
ବେଦନାର କୋହ।
ଜନ ଗହଳିର କାନଫଟା ଶବ୍ଦ
ଯେବେ କରିଦିଏ ମତେ ବ୍ୟତିବ୍ୟସ୍ତ
ଧାଇଁଥାଏ ଖୋଜିବାକୁ ଆଞ୍ଜୁଳାଏ
ଶାନ୍ତିର ମଉନ ଫୁଲ ll
ତମ ନିଃଶ୍ୱାସର ଖର ଉତ୍ତାପ
ତତାଇଦିଏ ଯେବେ ସମଗ୍ର ଶରୀର
ଖୋଜୁଥାଏ ପୋଖରୀ ପଠାର ପଥୁରିଆ ପାହାଚ
ଛୁଇଁବାକୁ ପାଣିର ଧାର ll
ଛଳନାର ଉଚ୍ଛୁଳା ଉର୍ମି
କରିଦିଏ ଯେବେ ଆର୍ଦ୍ର ମୋ ଚକ୍ଷୁ ଚର୍ମର
ଲୁଚାଇଦିଏ ମୋ ନିଷ୍ପ୍ରଭ ମୁହଁ
ଢ଼ୋକିବାକୁ କଷ୍ଟ ଯନ୍ତ୍ରଣାର ll
ହସର ଉଦ୍ଧତ ଜୁଆର
ଯେବେ ଦେଖେ ନାହିଁ ଓଦା ଆଖିର ଲୁହ
ଖୋଜୁଥାଏ ବିଜନ ବେଳା
ପିଇବାକୁ ବେଦନାର କୋହ ll
