STORYMIRROR

Aparajita Sarangi

Abstract Classics Inspirational

4  

Aparajita Sarangi

Abstract Classics Inspirational

ଶେଷ ଚିଠି

ଶେଷ ଚିଠି

1 min
10

ପ୍ରିୟ ବାସିନୀ

ଦେଖା ହେଇଥିଲା ତୋର ମୋର 

ଯୋଉଦିନ ତୁ ଆଖି ମିଟିମିଟି କଲୁ 

ଗୋଡ଼ ବାଡେଇ କାନ୍ଦିଲୁ 

କି ଥିଲା ସେ ଯାଦୁର ପରଶ 

ଛୁଇଁ କି ଅଦ୍ଭୁତ ଶିହରଣ ଖେଳେଇଲୁ 

ମାତୃତ୍ୱ କଅଣ ବୁଝେଇଲୁ 

ପୋଥି ପୁରାଣ ଖୋଜି ଦେଇଥିଲି ନାଁ ତୋର 

ଅତି ସୁକୁମାରୀ ଗ୍ରାମ ବାସିନୀ ll


ଖେଳି ବୁଲି ଯେବେ 

ଦୌଡୁଥିଲୁ ମୋ ଦାଣ୍ଡ ଅଗଣାରେ 

ଫୁଲି ଫୁଲି ହସୁଥିଲେ ମୋ କ୍ଷେତ କିଆରୀ 

ସବୁଜ ବନାନୀ ତୋଟା ବଣ 

ତୋ ଗାଧୁଆ ତୁଠ ପୋଖରୀ କୂଳ 

ସତେକି ଥେଇ ଥେଇ ହେଇ 

ପାଣିର ସୁଅରେ ନାଚୁଥିଲା

ତୋ ବହିବସ୍ତାନି ଧରା କୁନି କୁନି ହାତ

ଗାଆଁ ଚାଟଶାଳୀ କୁ ନଚାଉଥିଲା ll


ମନେପଡେ ଯାଇଥିଲୁ ଯୋଉଦିନ ପ୍ରବାସ 

ପାଠ ପଢି ନୂଆ ଜୀବନ ଗଢିବାକୁ 

ବର୍ଷାର ବୁନ୍ଦାରେ ଫାଟି ଫାଟି କାନ୍ଦିଥିଲା 

ତୋର ପାଦ ଛୁଆଁ ଗାଁ ଦାଣ୍ଡ 

ଆଶୀର୍ବାଦ ଦେଇ ଉଜ୍ଜଳ ଭବିଷ୍ୟତର

ଚାହିଁ ବସିଥିଲା ଫେରି ଆସିବୁ ବୋଲି 

ଦିନେ ସମାପ୍ତ କରି ପାଠର ଚକ୍ରବ୍ୟୁହ 

ଭାବିଥିଲି ପୁଣି ହସି ଉଠିବ 

ମୋ ମାତୃତ୍ୱ ର ସବୁଜ ଧୂସରିଆ କୋଳ ll


ସ୍ୱପ୍ନ ମୋର ସ୍ୱପ୍ନ ରେ ରହିଗଲା 

ସହର ର ଚାକଚକ୍ୟ ଭୁଲାଇଦେଲା ତତେ 

ଏ ଗ୍ରାମୀଣ ଶ୍ରୀଅକ୍ଷର ବିବର୍ଜିତl ମାଆକୁ 

ରହିଗଲୁ ନିଜ ଜୀବନର ବଳକା ସମୟକୁ ଧରି 

କାନ୍ଦି କାନ୍ଦି ଲୁହ ମୋର ଶୁଖିଗଲା 

ଗ୍ରୀଷ୍ମ ର ତତଲା ଫଟା ମାଟିରେ 

ଛୁଇଁଲାଣି ଆଜି ବାର୍ଦ୍ଧକ୍ୟ ମତେ 

ସରିଯିବ ମୋ ବେଳ ମାଟିରେ ମିଶିଯିବ

ମୋ ଗ୍ରାମୀଣ ମାଟି ଘାସ ଘେରା ଅସ୍ତିତ୍ବ 

ସହରୀ ଢାଞ୍ଚାରେ ହେବି ମୁଁ ଗଢ଼ା ll


ଆଜି ଜୀବନର ଅପରାହ୍ଣରେ ଦେଉଛି 

ହାତ ଲେଖା ଲୁହ ଭିଜା ଶେଷ ଚିଠି 

ଗ୍ରାମ କାଟି ସମ୍ବୋଧିତ କରି ବାସିନୀ ଲେଖୁଛି 

ଯେହେତୁ ହରାଇଛି ଆଜି ତୋ ପାଖେ 

ମାତୃତ୍ୱ ର ପୂର୍ବର ସେ ଅଧିକାର 

ଯେବେ ଆସିବୁ ଫେରି, ନଥିବି ଆଉ 

ଦେଖିବାକୁ ତୋର ସେ ଚଞ୍ଚଳ ଆଖି 

ଛୁଇଁବାକୁ ଆଉ ଶୁଣାଇବାକୁ ତୋତେ 

ମଧୁର ସ୍ନେହ ବୋଳା ନାନା ବାୟା ଗୀତି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract