STORYMIRROR

ASHIS KUMAR SWAIN33

Tragedy

3  

ASHIS KUMAR SWAIN33

Tragedy

ଝରାଶେଫାଳି

ଝରାଶେଫାଳି

1 min
215

    


ଚିରା ଛିଣ୍ଡା ତ ପିନ୍ଧୁଥିଲି ହେଲେ 

ବିବସ୍ତ୍ର ହେବାର ଅବାଞ୍ଛିତ ଅଭିପ୍ରାୟ ନ ଥିଲା ।

ବହୁମଲ୍ୟ ଶରୀର ଥାଇ କେବେ, 

ମୂଲ୍ୟ ନିର୍ଦ୍ଧାରଣ କରିବାର ଆକାଂକ୍ଷା ବି ନଥିଲା 

ମୁକୁଳା ଆକାଶର ଖୋଲା ଛାତ ତଳେ,

ପୁଣି ଶୂନ୍ୟତାର ଚାରିକାନ୍ଥେ ବିତୁଥିଲା ସମୟ 

ଆବଦ୍ଧ କୋଠରୀରେ ବଞ୍ଚିବାର ଆସ୍ପର୍ଦ୍ଧା,

ଆଣିଦେଲା ଅନେକ ଅକୁହା ଭୟ ।।


ନିଷିଦ୍ଧ ମନ ଅଗଣାରେ ବିବିଧତାଭରା ସ୍ୱପ୍ନର,

ଅବାଧ ପ୍ରବେଶ ନିଦକୁ ମୋର କେବେ ଭାଙ୍ଗି ନଥିଲା

ଦିନରାତି ଅସଜଡା ଶେଯର ଜୁଇରେ

ମଉଳା ଆତ୍ମା ଯାହା ସବୁଦିନ ଜଳୁଥିଲା ।

ବୈସ୍ୱାନର ଜ୍ଵାଳା ପ୍ରଶମିତ ପାଇଁ,

ଉଦରେ ଓଦା କପଡ଼ା ରଖି ବହୁ କଷ୍ଟ ସହିଲି

ପାରିଲିନି ଯେବେ ସ୍ୱାଭିମାନର ଅକ୍ଷୁର୍ଣ୍ଣ ସମ୍ପତ୍ତିକୁ

ନିଲାମିର ବଜାରରେ ତିଳତିଳ କରି ବିକିଦେଲି ।।



ହୃଦୟଶୂନ୍ୟ ଭଙ୍ଗା ଆଇନାରେ ଦିଶେ,

ମଳିନ ପ୍ରତିବିମ୍ବ ଏବେ ବି ଉଜ୍ଜୀବିତ

ବାରମ୍ବାର ଯୋଡ଼ିବାର ନିଷ୍ଫଳ ପ୍ରୟାସେ 

ପାଇଚାଲିଥାଏ ରକ୍ତିମ ଆଘାତ !!!

ନୀରବେ ଶରୀର ସହେ ପାଶବିକତାର

କେତେ ଯେ ଯନ୍ତ୍ରଣାସିକ୍ତ ଚିତ୍ରିତ ଚିହ୍ନ

ବିଭାବରୀ ହସେ ଆକାଶେ ଚାହିଁ

ଉଁଏ ଯେବେ ଅସ୍ତରାଗର ମଲାଜହ୍ନ ।।



ମରୀଚିକା ପଛେ ଧାଏଁ ବିବେକଶୂନ୍ୟ ସୌଦାଗର

ଦୂଷିତ ମୁଁ, ବୋହି ତା'ର କାମନା କଳୁଷ 

ଆଖି କୋଣେ ଭାସେ ଅଦିନିଆ ବରଷା

ଓଠ ହସୁଥାଏ ଖାଲି ଅଭିନୟଭରା ହସ !!!

କାଳ ରାତିର କଳା କାଳିମାକୁ ଦେହେ ବୋଲି

ସାଜିଛି ମୁଁ ରଙ୍ଗାଶାଳାର ବାର ବିଳାସିନୀ

ଘୃଣାର ଦୁର୍ବାର ଗନ୍ଧ ପ୍ରତିହତ ଅତରର ମହକେ !!

ଗ୍ରାହକ ଅପେକ୍ଷାରେ ପ୍ରତିକ୍ଷୀତ କଳଙ୍କିତ ଯାମିନୀ ।।



ଅଫେରନ୍ତା ସମୟ ରଚିଦେଇଗଲା

ଜୀବନ କାହାଣୀର ଚକ୍ରବ୍ୟୁହ

ଜ୍ୱଳନ୍ତ ଶିଖାଟି ଲିଭିବ ଦିନେ,

ଶ୍ମଶାନ ମାଟିର ମୁଠାଏ ପାଉଁଶ ଗଦା ସହ ।

ଲୋଡା ପଡ଼ିନାହିଁ କେବେ କାହା ପୂଜା ଥାଳିରେ

ହୋଇ ପାରିଲିନାହିଁ କାହା ଗଳା ମାଳି

ମୁଁ ଯେ ସେ ନିଶବ୍ଦ ରାତିର ଅଭିଶପ୍ତ ଝରାଶେଫାଳୀ !!!

ମୁଁ ଯେ ସେ ଅଲୋଡ଼ା ଝରାଶେଫାଳୀ........ ।।


                  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy