ମୋ ଗାଁ
ମୋ ଗାଁ
ଜୟ ମା ତାରିଣୀ କୃପା
ତୋ ବିରହରେ କେତେ ଯେ ଲୁହ ଢ଼ାଳିଛି
ଏକ ନିର୍ଜୀବ କାନ୍ଥର କୋଠରୀରେ!!
କିନ୍ତୁ ତୋ ସ୍ମୃତିର ପୁଞ୍ଜି, ମୋ ସ୍ପନ୍ଦନର ଆବେଗକୁ
ଆହୁରି ତୀବ୍ର କରିଛି ତୋ ସ୍ନେହର ବନ୍ଧନରେ
ବାନ୍ଧିହୋଇ ରହିବା ପାଇଁ............।।
ତୋ ସବୁଜ ବନାନୀର ସ୍ପର୍ଶେ,
ଏକ ଜୀବନ୍ତ ସ୍ଫୁର୍ତ୍ତିର ଆନନ୍ଦ ତରଙ୍ଗାୟିତ ହୁଏ,
ମୋ ଉଦାସ ମନ ଗହନେ !!
ଏ ମସୃଣ ଚଟାଣ ରାସ୍ତାର ମୋହରୁ ମୁକ୍ତ,
ମୋ ନଗ୍ନ ପାଦର ବେଗ କ୍ଷୀପ୍ରରୁ କ୍ଷୀପ୍ରତର
ତୋ ସବୁଜିମାର ଗାଲିଚାରେ ଲୋଟି ପଡ଼ିଥିବା
କାକର ବିନ୍ଦୁର ଶୀତଳତାରେ ଭିଜିଯିବା ପାଇଁ..........।।
ଏକ ଅଦୃଶ୍ୟ ଆକର୍ଷଣରେ ଆକର୍ଷିତ
ମୋ ଯାଯାବର ମନଟି,ତା' ଅସ୍ତିତ୍ଵର ମୌଳିକତାକୁ
ସାଉଁଟିବାକୁ ଆସିଛି, ତୋ ଧୂସର ଧୂଳିକୁ
ହାତ ଆଞ୍ଜୁଳାରେ ତୋଳି ଧରି........ ।।
ପରିତ୍ୟକ୍ତ ହୋଇପଡିଥିବା ତୋ ନଅରରେ,
ଝାଟିମାଟିର ସେଇ ଭଙ୍ଗା କୁଡ଼ିଆ କହୁଥିଲା
ଅବକ୍ଷିପ୍ତ ସମ୍ପର୍କରେ ନିସ୍ତେଜ ହୋଇପଡିଥିବା
ଅବ୍ୟକ୍ତ ଭାଷାର କିଛି ଅବଶେଷ କଥା !!
ଯାହା ବିହ୍ୱଳ ହୃଦୟ, ତା' ଲୁହର ବନ୍ୟାରେ
ଧୋଇ ଦେଉଥିଲା........।।
ତୋ ଅଙ୍କାବଙ୍କା ନଦୀର ଉନ୍ମୁକ୍ତ ଜଳରାଶିରେ
ଲମ୍ଫମାରି, ବ୍ୟାକୁଳ ମନଟି ବହିଯିବାକୁ ଚାହୁଁଥିଲା,
ସେ ଦୁଷ୍ଟ ପିଲାଦିନକୁ!!
ଯେଉଁଠି କାଶତଣ୍ଡୀର ଶୁଭ୍ର ଚାଦର ଉହାଡେ
ଲୁଚିଲୁଚିଦେଖିବ,ଦିଗନ୍ତ ପ୍ରସାରୀ ଆକାଶେ
ଅସ୍ତମିତ ରକ୍ତବର୍ଣ୍ଣା ସୂର୍ଯ୍ୟକୁ.…....।।
ସୁନା କେରି କେରି ସୋରିଷ କ୍ଷେତେ
ଅଳସ ଭାଙ୍ଗୁଥିବା, ଚଞ୍ଚଳ ପବନର କଥା ବି ଶୁଣିବ !
କୋଇଲିର କୁହୁତାନ ସାଥେ,
ଭ୍ରମରର ପ୍ରୀତି ଗୁଞ୍ଜନେ ମଜିଯିବ
ବୁଢ଼ାବରଗଛର ପ୍ରଲମ୍ବ ଓହଳ ହାତଠାରି ଡାକିଲାଣି,
ଖେଳିବାକୁ ତା' ସାଥେ ଦୋଳି !!
ଆମ୍ବତୋଟାର ଉତ୍ସୃଷ୍ଟ ପୃଷ୍ଠା କହୁଛି,
କେତେ ଯେ ଉଷ୍ଣ ମଧ୍ୟାହ୍ନର
ଗୁଲିଖେଳ କାହାଣୀ.….....।।
ତୋ ଗୋଧୂଳିମୟ ବାତାବରଣେ
ଏକ ଅପୂର୍ବ ମହକ,
ଟାଣିଆଣେ ସାୟାହ୍ନର କୋଳାହଳେ
ହଜିଯିବା ପାଇଁ !!
ଗୋଠ ଫେରନ୍ତା ମା ସାଥେ,
କଅଁଳା ବାଛୁରୀର ମହାମିଳନେ ଦିଶେ
ମୁକ୍ତ ଆତ୍ମା ଛନ୍ଦେ ବିଭୋରିତ ପ୍ରୀତି !
ସତେ କି ଏ ଥିଲା, ବିଷାଦଗ୍ରସ୍ତ ବିଚ୍ଛେଦବେଳାର
ମଧୁଝରା ଇତି........।।
ଶୀତୁଆ ସକାଳର ବାଡ଼ିବେଙ୍ଗଳାରୁ ଚହଟୁଥିବା ବାସ,
ମେରି ବଳଦ ସାଥେ ବୁଲିବାର ଆନ୍ତରିକ ଉଚ୍ଛ୍ୱାସ
ଅତୀତର ଗନ୍ତାଘରେ ଉଦୀପ୍ତ ଶିଖାକୁ।
ଲିଭିବାକୁ ଦେଉନଥିଲା !!
ମୋ ଭାବନାର ରିକ୍ତ ମାନସପଟ୍ଟରେ ଉଜ୍ଜୀବିତ
ଭଗାରୀ ସମୟର ପ୍ରତାରଣାକୁ ନିରୀହ ବିବେକ,
ମଥାପାତି ସହିବାର ଖାଲି ଛଳନା କରୁଥିଲା...….....।।
ଚେଇଁ ଉଠନ୍ତା କି ନିରୁଦ୍ଦିଷ୍ଟ ପ୍ରାୟ , ଶଗଡର
ସେ ଶଗଡ଼ିଆ ମଣିଷଟି
ଉତ୍କର୍ଣ୍ଣ ଘାଗୁଡ଼ି ଶବଦେ ନିଦରୁ ଉଠି,
ତାକୁ ଥରେ ମୁଁ ଦେଖନ୍ତି !!
ଉଚ୍ଚ ପରବତ ଶିଖରେ ଭାସମାନ ମେଘଖଣ୍ଡର,
ଆକାଶ ସାଥେ ଆତୁର ମିଳନକୁ ଅନୁଭବ କରନ୍ତି !
ଅନୁମତି ଦିଅନ୍ତୁ ଯଦି, ତୋ ଚାନ୍ଦିନୀରୁ ନୀଳ ଯୋଛନା
ରାତିର ଫୁଲେଇ ଜହ୍ନ ସାଥେ
ଚୁପ୍ ଚୁପ୍ କଥା ହୁଅନ୍ତି........।।
ହେଇପାରୁ ତୁ କାହା ପାଇଁ ଏକ ଅଖ୍ୟାତ ପଲ୍ଲୀ,
ମୁଁ ଜାଣେ ମୋ ପରିଚୟର ଶେଷ ଠିକଣା,
ତୋ ଠାରେ ଦିନେ ସରିବ ବୋଲି !!
ସେଦିନ ନା ଥିବ କିଛି ଅଝଟ ନା ଅଳି
ତୋ ମାଟିର ଶେଯେ,
ହେଇଯିବି ପାଉଁଶ ଜଳି ଜଳି...........।।
ଆଶିଷ କୁମାର ସ୍ବାଇଁ
ପୋପରଡ଼ା, ଟାଙ୍ଗୀ,କଟକ
ମୋ-୭୦୦୮୧୫୭୮୦୦
