ଆତ୍ମଧ୍ୱନି
ଆତ୍ମଧ୍ୱନି
ଆତ୍ମାର ନିଗଡ ଦୁର୍ଗ ଭିତରେ ପ୍ରତିଧ୍ଵନିତ ଥାଏ ସେ
ନିର୍ମଳ ଆକାଶେ ଲୁଚିରହିଥିବା ଅଦୃଶ୍ୟ ମେଘଖଣ୍ଡ ପରି ।।
ଉଦିତ ଭାନୁର ଅରୁଣିମା ଆଭାରେ ଆସେ
ଅସ୍ତମିତ ରଙ୍ଗ ଲାଲିମାରେ ଯାଏ ବାହୁଡ଼ି !
ପକ୍ଷୀର କାକଳିରେ,ରଙ୍ଗ ବେରଙ୍ଗର ଫୁଲ ପାଖୁଡ଼ାରେ
ଥାଏ ସେ ସବୁଜିମାର ନରମ ଗାଲିଚାରେ,
ସବୁ ସ୍ବଭାବିକତାର ବିଧୃତ ତରଙ୍ଗେ,
ଛାତି ତଳୁ ବହିଆସେ ଏକ ଦୀର୍ଘଶ୍ୱାସ ହୋଇ !!
ଏ କି ସେଇ ଋତୁଚକ୍ରେ ଆତ୍ମଗୋପନ କରିଥିବା,
ଅଜଣା ଆକର୍ଷଣ ??
ଯାହାର ମହକ ଭାସିଆସିଥାଏ ପେନ୍ଥା ପେନ୍ଥା ବଉଳକୁ ଛୁଇଁ !!
ନା, ବିନ୍ଦୁ ବିନ୍ଦୁ ବର୍ଷାର ଶୀତଳତା ଯାହା ବିବୁକ୍ଷିତ ମନକୁ
ଆମୋଦିତ କରୁଥାଏ,
ସହ୍ୟାଦ୍ରିର ଧୂମାଭ ଦିଗନ୍ତରେ ହଜିଯିବା ପାଇଁ !
ଏଡ଼େ କ୍ଷଣିକ ରାତ୍ରିର ଶେଯରେ
ଏତେ ସ୍ୱପ୍ନର ଆବେଗ ଆସେ କେଉଁଠୁ ??
କଳ୍ପନାର ମାଣ୍ଡି ଭିଜୁଥାଏ ଅନବରତ,
ଲକ୍ଷ ଲକ୍ଷ କୋହର ବନ୍ଧଭାଙ୍ଗି !
ପଢ଼ିନି କେହି ସେ ଅନ୍ତରର ଉପନ୍ୟାସକୁ,
ଯେଉଁଠି ଲେଖା ଯନ୍ତ୍ରଣାସିକ୍ତ ତିକ୍ତ ସମୟର
ସଂଘର୍ଷମୟ କଠିନ ବାକ୍ୟ ସବୁ ।।
ଆୟୁଷର ବାଲି ଖସିଯାଇଛି ହାତମୁଠାର ଆଲିଙ୍ଗନରୁ
ନିଃଶବ୍ଦରେ ମିଳେଇଯାଇଛି ପାଣିର ଫୋଟକା
ହସି ହସି 'ବିଦାୟ' କହି ।।
ନିଅଣ୍ଟିଆ ଜୀବନ କାଳେ କାଳେ ଏମିତି ।
ଝୁଣ୍ଟିପଡ଼ି ବାଟ ଚାଲୁଥାଏ ନ ଥାଏ କ୍ଷତର କଷ୍ଟ !
ବିପଦକୁ ବେଖାତିର କରି,
ବହାରିଯାଏ ଘନ ଅମାର ରାସ୍ତା ଭେଦି ।।
ପେଟରେ ଓଦା କନା ଦେଇ ଗୁଣୁଗୁଣଉଥାଏ
ମଧୁଛନ୍ଦାର ଅସଜଡ଼ା ଗୀତି !!
ଶୁଖିଲା ଓଠର ସ୍ମିତହସ,
ବାହିନିଏ ଭଙ୍ଗା ଜଞ୍ଜାଳ ଡଙ୍ଗାକୁ,
ଆତ୍ମବିଶ୍ବାସର କାତ ଦେଇ ।।
ଏ କଣ ମରୀଚିକାର ଭ୍ରମ, ନା' ଖିଆଲି ମନ ??
ହୃଦୟ ବୁକୁର ଆତ୍ମଧ୍ଵନି, ନା ଜୀବନ ଯୁଦ୍ଧର କ୍ଷତ ଚିହ୍ନ ।
