STORYMIRROR

Trinatha Behera

Classics Others

4  

Trinatha Behera

Classics Others

ଖଣ୍ଡଗିରିରେ ସନ୍ଧ୍ୟା

ଖଣ୍ଡଗିରିରେ ସନ୍ଧ୍ୟା

1 min
364

ଆହା କି ସୁଷମା ! ଦେବି କି ଉପମା 

ଖଣ୍ଡଗିରିର ସେ ରୂପ ବିଭବ

ନେତ୍ର ଭରି କରି ଦେଖିଲି ତା ଶିରୀ

ଗୁମ୍ଫାରେ ବସି ଯା ଶୋଭା ଅପୂର୍ବ ।।

ଦିନେହେଁ ସନ୍ଧ୍ୟାରେ ଆଳତୀ ଲଗ୍ନରେ

କଲି ସଂଦର୍ଶନ ରୂପ ତାହାର

ଭାଳିଲି ନେତ୍ରରେ ନାନା ଚିତ୍ରରାଜୀ

ଐର ଖାରବେଳ ସୃଷ୍ଟି ସମ୍ଭାର ।।

ଇତିହାସ ସୁନ୍ଦରୀ ବଖାଣିଲା ବସି

ତା ସୃଷ୍ଟିର ଅମର ଗାଥା ଗୌରବ

ଉତ୍କଳର ଶିରୀ କଳା ଓ ଭାସ୍କର୍ଯ୍ୟ

ମନଲୋଭା ଶିଳ୍ପୀକୁଳ କାରୁକାର୍ଯ୍ୟ ।।

ପଡୁଥିଲା ହୁରି ପଥର ଗାତ୍ରରେ

ଲେଖାଅଛି ଓଡିଆଙ୍କ ଗୌରବ ବାଣୀ

ହାତୀଗୁମ୍ଫା ଶିଳାଲେଖ ନାମ ବହି

ଓଡିଆ ଭାଷାର କିର୍ତ୍ତୀ କାହାଣୀ ।।

ପଥର ର ସେହି କର୍କଶ ପିଠିରେ

ନିହଣ,ହାତୁଡି ଆଦି ସାହାଯ୍ୟରେ

ବିଶ୍ବରେ ପ୍ରଥମ ସାହିତ୍ୟ ବୋଲାଇ 

ସୃଷ୍ଟି ଓଡିଆ ଙ୍କ ସାହିତ୍ୟ ତହିଁରେ ।।

ମନେ ପଡିଗଲେ ଗୋପବନ୍ଧୁ ଦାସ

ଓଡିଆ ଜାତିର ଯେ ମଉଡ ମଣି

ଭ୍ରମିଥିଲେ ଦିନେ ଯୁବା ଅବସ୍ଥାରେ

ଲେଖିଥିଲେ ଖଣ୍ଡଗିରି କାହାଣୀ ।।

ଗୋଟି ଗୋଟି ହୋଇ ସବୁତକ ତହିଁ

ପଡୁଥିଲା ମନେ ସେଇ ସଞ୍ଜରେ

ଗୁମ୍ଫା ନିର୍ମାଣର ଅପୂର୍ବ କାହାଣୀ

ଜୈନ ଧର୍ମ ପୃଷ୍ଠପୋଷକତାରେ ।।

ଭୁବନେଶ୍ବରର ଏଇ ଖଣ୍ଡଗିରି

ତା ସହ ରହିଛି ଏଠି ଉଦୟଗିରି

ଓଡିଆ ଜାତିର ଅପୂର୍ବ କଳାର

ଜୀବନ୍ତ ମୁକ ସାକ୍ଷୀ ଯେ ପୁଣି ।।

ପ୍ରଥମ ଶତାବ୍ଦୀ ଗହନ କଥାକୁ

ବଖାଣୁଛି ଏଇ କୁମାରୀ ଗିରି

ହୃଦୟ ମଧ୍ୟରେ ପହଞ୍ଚାଉ ଅଛି

ଅପୂର୍ବ ପ୍ରେରଣା ସଞ୍ଚାର କରି ।।

କାଳର ପ୍ରଭାବେ ବଦଳିଛି ତାର

କଳେବର ସହ ଲୋକ ସ୍ବଭାବ

ଯୁବକ ଯୁବତୀ ବିହାର କରନ୍ତି

ସତେକି ଲାଗିଛି ପ୍ରେମ ମହୋତ୍ସବ ।।

ଅପୂର୍ବ ସୁନ୍ଦର ରାଣୀ ହଂସ ପୁର

ତା ସହ ବାଘ,ହାତୀ,ଗଣେଶ ଗୁମ୍ଫା

କାଳର ପ୍ରଭାବେ ସବୁତକ ଆଜି

ନୀରବେ ଶୁଣାନ୍ତି ପ୍ରାଚୀନ ଗାଥା ।।

ପର୍ବତ ପାଦରେ ସାଧୁଙ୍କ ମେଳରେ 

କଟିଲା ସେ ସଞ୍ଜ ବେଳଟି ତହିଁ

ନାନା ଆଲୋଚନା ତର୍କ ବିତର୍କରେ

ଜାଣିଲି ଶୁଣିଲି ଅନେକ ତହିଁ ।।

ଭୁବନେଶ୍ବରର ସେ ଅପୂର୍ବ ଦୃଶ୍ୟକୁ

ଦେଖିଲି ପର୍ବତ ଉପରେ ରହି

ସମୟ ସ୍ରୋତର ମୁଁ ଭାସମାନ ତୃଣ

ଫେରିଲି ସ୍ମୃତିର ନାନା ପସରା ନେଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics