ଶୋଭାଯାତ୍ରା
ଶୋଭାଯାତ୍ରା
ତୁମେ ଆସ
ଭଙ୍ଗା କୁଡିଆରେ
ଚାଳ ଛପର ବାଟେ
ଜହ୍ନକୁ ଦେଖିଲା ବେଳେ
ଆଲିସାନ ବଙ୍ଗଳାର
ବାଲକୋନି ଉପରେ
ନୀରବ ରେ ।
କେବେ ଆସ
ଛିଣ୍ଡା ମସିଣାରେ
ବାଡି ଅଗଣା ଉପରେ
ନୀରବ ନିଃସ୍ତବ୍ଧ ରାତିରେ
ଘନ ଅନ୍ଧକାରରେ
ମନ୍ଦିର ମଠରେ
ତୁମ ଇଛାରେ ।
ତୁମେ ଆସ
ହେ! ବଳଶାଳୀ
ସଭାରେ,ସଡକରେ
ସଭିଁଙ୍କ ଗର୍ବ ଚୂର୍ଣ୍ଣ କରି
ଦେବାକୁ ଚିର ଶାନ୍ତି
ଅଫେରା ପଥରେ
ତୁମ ସ୍ପର୍ଶରେ ।
ହେ! ମୃତ୍ୟୁ
ତୁମେ ଆସିଗଲେ
ମନୁଷ୍ୟ ବାହାରିପଡେ
ନିଆରା ଶୋଭାଯାତ୍ରାରେ
ଫୁଙ୍ଗୁଳା ପାଦରେ
ଗ୍ରାମ ସଡକରେ
ଶବାଧାରେ ।
ଏ ଯାତ୍ରାରେ
ନାହିଁ ଦାମି ବସ୍ତୁ
ବସ୍ତ୍ର,ଜୋତା,ଅତର
ବାଉଁଶର କୋକୋଇକୁ
କାଠ,ଲୁଣ,ନଳ,କୁଲା
ମଲା ତୁଳସୀ ଗଛ
ଲୋଡା ମାତ୍ର ।
ଏଇ ଯାତ୍ରା
ନରମି ଯିବାକୁ
ସୂଚାଏ ମନୁଷ୍ୟକୁ
ମିଛ ମାୟା ମୋହର
ଜାଲେ ନପଡି ଆଉ
ସୁଧୁରି ଯାଆ ତୁ
ବେଳ ଥାଉଁ ।
ହେ! ମୃତ୍ୟୁ
ନୀରବେ ଆସି
ତୁମେ ଛାଡିଯାଅ
କଳରବ ଏଇ ସମାଜେ
ଭଲକୁ ଝୁରନ୍ତି ସର୍ବେ
ଗୁଣ ବଖାଣି ଗର୍ବେ
ତୁମ ଆସିବାରେ ।