ନିର୍ଲଜ୍ଜ ଅନ୍ଧାର
ନିର୍ଲଜ୍ଜ ଅନ୍ଧାର
କେତେକ ରାତି ଅଛନ୍ତି, ଯେଉଁମାନେ ଆସନ୍ତି ନିଶ୍ଚିତ, କିନ୍ତୁ ଯାଆନ୍ତି ନାହିଁ ।
ମନ ଅମାନିଆ ଜହ୍ନ ରାତି , ଶୀତଳ କରି ପାରେନା ଦେହର ତାତି
ସେଇ ରାତି, ଯାହାର ଅସମ୍ଭବ ନୀରବତା, ଲୁହକୁ ଆଖି ପାଖକୁ ଟାଣି ଆଣେ ।
ବଂଚି ସାରିଥିବା ବର୍ଷ ମାନଙ୍କୁ ଏକାଠି କରି ବିଡା ବାନ୍ଧିଦେଲେ,
ନିଜକୁ ଓଜନିଆ ହୋଇ ଯାଇଥିବାର ଅନୁଭବ ଲାଗେ ।
ବାଳ ଗୁଡାକ ଧଳା ହୋଇଯାଇଥାଏ ।
ବୁଢା ଆଙ୍ଗୁଠିର ଆକୃତି ପରିବର୍ତ୍ତନ ହୋଇ ସାରିଥାଏ ।
ଲାଇଟ୍ ବନ୍ଦ କରିବାକୁ ପଡେ, ନିଜକୁ ଲଙ୍ଗଳା କରିବା ବେଳେ ।
ନାଟକର ପରଦା ତ ଉଠେ,
କିନ୍ତୁ ପ୍ରଥମ ଦୃଶ୍ୟ ଆରମ୍ଭ ହେଉ ହେଉ, ଦି ଏଣ୍ଡ୍ ଆସିଯାଏ ।
ଭୋକ ଥାଇ, ପେଟ ପୁରିଗଲା ପରି ଲାଗେ ।
ଲଙ୍ଗଳା ଦେହଟା କୁନ୍ଥେଇ, କର ଲେଉଟି ଶୁଏ ।
ଆଉ ମନେ ପକାଏ ପୁରୁଣା ସିନ୍ ସବୁ ନାଟକର,
ଯାହା ଦିନେ ବହୁତ ହିଟ୍ ହୋଇଥିଲା ।
ଇଛା ଥିଲା ଭୁଲି ଯିବାକୁ କିଛି ସମୟ ପାଇଁ, ବାହାରର ଆଲୁଅକୁ ।
ଇଛା ଥିଲା ସମ୍ପୂର୍ଣ୍ଣ ବିଶ୍ୱାସ କରି ନେବାକୁ, କେବଳ ଅନ୍ଧକାରକୁ ।
ଅନ୍ଧାର ସାମ୍ନାରେ ଥିଲା,
କିନ୍ତୁ ପୁରୁଣା ଅନ୍ଧାର ପରି ମନଲୋଭା ନ ଥିଲା ।
ଘରର ଝର୍କା ଖୋଲା ରହି ଥିଲା ଓ ପର୍ଦା ବି ପଡି ନଥିଲା ।
ଅନ୍ଧକାର ଗୋଟେ ବିରାଟ ନିର୍ଲଜ୍ଜ, ମିଥ୍ୟାବାଦୀ ।
ସାମ୍ନାରେ ଛିଡା ହୋଇ ହସୁଛି, କାନ ପାଖେ ଫିସ୍ ଫିସ୍ କହୁଛି -
ଅନ୍ଧାରକୁ ଅନ୍ଧ ଭାବରେ ସବୁବେଳ ପାଇଁ ବିଶ୍ୱାସ କରି ନେବାକୁ !
ଅନ୍ଧାର ସେପଟେ ବି କିଛି ନାହିଁ ।
ଓସ୍ତ ପତ୍ର ଉପରେ ପଡିଥିବା କାକର ମାନେ,
ଜହ୍ନ କିରଣରେ ଶୁଖି ଆସିଲେଣି ।
ଆଗକୁ ଗୋଟେ ଲମ୍ବା, ବହୁତ ଲମ୍ବା ରାତି ଆସୁଛି ।
ଯେଉଁଠି, ନ ଚାହିଁଲେ ବି, ଉଜାଗର ବିତେଇବାକୁ ପଡିବ ।
ଆଖି ନିଜକୁ ଅନ୍ଧାରରେ ପଢି ନେବ ।
ଅନ୍ଧାର ସେପାଖେ କିଛି ନାହିଁ ।
ଘାସ ଉପରେ କାକର ପଡି ରହିଥିବ ।
ଅତି ନିକଟରେ ନିରବ ବାଦ୍ୟ ବାଜିବା ଆରମ୍ଭ କଲାଣି ।
ଆଗରେ ଫମ୍ପା ପାହାଚ ସବୁ ଦେଖା ଦେଲେଣି ।
ତୁମକୁ ସମ୍ମାନର ସହ ଅନ୍ଧାରର ଆର ପଟକୁ ନେଇ ଯିବ ।