STORYMIRROR

Bharati Bhusan Das

Abstract

3  

Bharati Bhusan Das

Abstract

ଜୟ ମା 'ଭବାନୀ

ଜୟ ମା 'ଭବାନୀ

1 min
200

ଦୁର୍ଗତିନାଶିନୀ ଜୟ ମା ' ଭବାନୀ

     ସୃଷ୍ଟି ସ୍ଥିତି ବିନାଶନୀ

ଗୁଣାଶ୍ରୟେ ଗୁଣମୟେ ନାରାୟଣୀ

    ଶକ୍ତି ଭୂତେ ସନାତନୀ।


ଆଦ୍ୟାଶକ୍ତି ରୂପେ ଜଗତଜନନୀ

      ତ୍ରିଧା ରୂପ ଅଧିଶ୍ବରୀ

ତ୍ରିଗୁଣାତ୍ମିକା ବୈଭବ ଦାୟିନୀ

      ମହାମାୟା ମାହେଶ୍ୱରୀ।


ସର୍ବ କାର୍ଯ୍ୟ ସିଦ୍ଧି ହୋଇଥାଏ ମାତ

     ତୋ କୃପା ଆଶିଷ ବଳେ

ସଚରାଚର ଏ ଜୀବ ଜଗତର

   ପୁଣ୍ୟ ଭାବ ପୁଣ୍ୟ ବେଳେ।


ଭୁକ୍ତି ମୁକ୍ତି ଦାତ୍ରୀ ଐଶ୍ୱର୍ଯ୍ୟ ଦାୟିନୀ

     ଚେତନ ଶକ୍ତି ବିଶିଷ୍ଟା

ଦଶ ମହାବିଦ୍ୟା ନାମେ ଖ୍ୟାତ ମାତା

      ସକଳ ସୃଷ୍ଟି ର ସ୍ରଷ୍ଟା।


ମହାକାଳୀ ଉଗ୍ରତାରା ଛିନ୍ନମସ୍ତା

     ଷୋଡଶୀ ଭୁବନେଶ୍ୱରୀ

ମାତଙ୍ଗୀ କମଳା ଭୈରବୀ ବଗଳା-

   ମୁଖି ଧୁମାବତୀ ଧାରୀ ।


ଷୋଡଶ ଦିନର ଉପଚାର ମାତ

   ଆଶ୍ୱିନ ମୂଳାଷ୍ଟମୀରେ

ଧରାବତରଣ କରିଥାନ୍ତି ମାତ

  ଏ ପୁଣ୍ୟ ଧରା ବକ୍ଷରେ।


ପ୍ରତିପଦା ତିଥି ଆଦ୍ୟ ରାତ୍ରି ପୂଜା

    ଶୈଳପୁତ୍ରୀ ନାମେ ଖ୍ୟାତା

ଦ୍ଵିତୀୟା ତିଥିରେ ବ୍ରହ୍ମଚାରିଣୀ ମା '

   ତୃତୀୟା ରେ ଚନ୍ଦ୍ରଘଣ୍ଟା।


ଚତୁର୍ଥ ଦିବସ କୁଷ୍ମାଣ୍ଡା ନାମରେ

    ପୂଜିତା ଯେ ଦେବମାତା

ପଞ୍ଚମୀ ତିଥିରେ ଜନନୀ ଲୋ ତୁହି

  ନାମଟି ଯେ ସ୍କନ୍ଦମାତା।


ଷଷ୍ଠୀ ପୂଜା ହୁଏ କାତ୍ୟାୟନୀ ନାମେ

    ସପ୍ତମୀ ରେ କାଳରାତ୍ରି

ଅଷ୍ଟମୀ ତିଥିରେ ମହାଗୌରୀ ତୁହି

     ନବମୀ ରେ ସିଦ୍ଧିଦାତ୍ରୀ।


କେଉଁ ନାମେ ମାତ ପୂଜିବୁ ସଙ୍ଗତ

    ତୁହି ମା 'ଦେବୀ ଭବାନୀ

ଦୁର୍ଗତିନାଶିନୀ ଜୟ ମା' ଭବାନୀ

     ସୃଷ୍ଟି ସ୍ଥିତି ବିନାଶନୀ।


ବିଜୟାଦଶମୀ ଅଟେ ଶେଷ ପୂଜା

     ଧରା ବକ୍ଷେ ସ୍ନିଗ୍ଧ ଭାବ

କଳୁଷ କାଳିମା ହିଂସା ଦ୍ୱେଷ ଇର୍ଷା

     ହରିନେ, ଭରି ସ୍ଵଭାବ ।


ବୃଥା ଅହଂଭାବ 'ମୁଁ 'ପଣିଆ କୁ

     ବିନାଶ କର ଗୋ ମାତା

ହୃଦୟରୁ ନାଶ କର କୁପ୍ରବୃତ୍ତି

   ଯୋଗଜନ୍ମା ଆଦିମାତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract