ନିଜକୁ ପାଇବି ଖୋଜି
ନିଜକୁ ପାଇବି ଖୋଜି
ମଉଳା ଫୁଲର ମଲା ମହକକୁ
ମୁଠେଇ ଧରିଛି ଆଜି
ଜଳା ଜୁଇ ଧଳା ପାଉଁଶ ତଳୁ କି
ଜୀବନ ପାଇବି ଖୋଜି।
ଝରିନାହିଁ ହେଲେ ଝାଉଁଳି ଦେଖୁଛି
ଝୁଲୁସା ଶାଖାର ଶିଖା
ଶୁଖିଯିବା ପରେ ଡେମ୍ଫଛଡା ଯାଏ
ଜୀବନର ଲେଖାଯୋଖା।
ଅତୀତର ଛାଇ ଝାପସା ଝାପସା
ତଥାପି ରହିଛି ଆଶା
ଚହଲା ଆଲୁଅ କହିଯାଏ କାନେ
ଆଶ୍ୱାସନା ବୋଳା ଭାଷା।
କାଗଜ ଡଙ୍ଗା ମୋ ଢଳି ଢଳି ଚାଲେ
ବରଷା ଟୋପାକୁ ଡର
ଜୀବନର ପ୍ରତି ମୋଡ଼ ପାରିବାକୁ
ସାହସର ଦରକାର।
ସାହସ ବୋଲି ମୁଁ ସାଇତିଛି ଯାହା
ଡର ପରି ଲାଗେ କେବେ
ଡର ଅଛି ବୋଲି ମରଣ ର ଭୟ
ଜୀବନର ମୋହ ଲାଗେ।
ତଥାପି ରହିଛି କାହିଁ କେତେ
ବାକି ପାଦ ନପାରଇ ଚାଲି
ବାଟ କି ଅଟକେ ବାଟୋଇ ବିଚାରା ଚାଲି ନପାରଇ ବୋଲି।
ନିଜଠୁଁ ନିଜକୁ ମୁକୁଳେଇ ନିଜ
ପରିଚୟ ଖୋଜେ ଆଜି
କାହାରି କଥାରେ କାହାରି
ବ୍ୟଥାରେ ପାଇବି ନିଜକୁ ଖୋଜି।
