ଭିଟାମାଟି ହେଲା ମଶାଣିପଦା
ଭିଟାମାଟି ହେଲା ମଶାଣିପଦା
ମହାବାତ୍ୟା ଆସି ପ୍ରଳୟ ରଚିଲା
ଗୁରୁ ଗରଜନ କରି
ଝଡ ତୋଫାନ କୁ ମୂଷଳ ବରଷା
ଚଉଦିଗ ଗଲା ଥରି ।
ମାଡି ଆସିଲା ତ ସମୁଦ୍ର ଜୁଆର
ନଈରେ ଆସିଲା ବଢି
ଭିଟାମାଟି ହେଲା ମଶାଣି ପଦା ରେ
ଆକାଶ ପଡିଲା ଛିଡି ।
ରାତି ପାହି ଯେବେ ସକାଳ ଆସିଲା
ଅନ୍ଧାର କରିଲା କାବୁ
ନାହିଁ ଘରଦ୍ୱାର ନାହିଁ ଗାଁ ଗଣ୍ଡା
ମାଟିରେ ମିଶିଛି ସବୁ ।
ଚାରିଆଡେ ଖାଲି ଶବ ଗଦାଗଦା
ଠିକଣା କାହାର କାହିଁ ?
ଦାହ କରିବାକୁ ଆପଣାର ବୋଲି
ନଥିଲେ ତ ଜଣେ କେହି ।
ପାଣିରେ କେଉଁଠି ଶବ ପଡିରହି
ପଚିଯାଇ ଗନ୍ଧ ହୁଏ
କେଉଁଠାରେ ଶବ ଶୁଖିଯାଇ ହାଡ
ପଥରଠୁ ଟାଣ ସିଏ ।
ଶବ ଖାଇଥାନ୍ତେ କୁକୁର ବିଲୁଆ
ସେମାନଙ୍କ ଶବ ଭାଷେ
ଚିଲ ଶାଗୁଣାଙ୍କ ବଉଁଶ ବୁଡିଛି
ଗାଁ ତ ମଶାଣି ଦିଶେ ।
କିଏ ସେ କାନ୍ଦିବ କା' ପାଇଁ କାନ୍ଦିବ
କେହିତ ଜଣିଏ ନାହିଁ
କୋହର ଦୁନିଆ ଲହୁର ମୂଲକ
ଶୁଖିଲା ଲୁହର ନଈ ।
ଧନ୍ୟରେ ଦଇବ ସବୁରି କପାଳେ
ଲେଖିଥିଲୁ ଏଇ କଥା
ଗୋଟିଏ ଦିନରେ ଏତେ ସବୁ ଲୋକ
ବୁଜିଦେଲେ ଆଖିପତା ।
ବିଜ୍ଞାନ ବଳରେ କେତେ ଅସାଧ୍ୟକୁ
ମଣିଷ କରୁଛି ସାଧ୍ୟ
ହେଲେ ପ୍ରକୃତିର ନିୟମ ପାଖରେ
ହାର୍ ମନିବିକୁ ବାଧ୍ୟ ।