କବିତା ଲେଖୁଥିବା ମଣିଷ
କବିତା ଲେଖୁଥିବା ମଣିଷ
ଜନନୀ ଜଠରରୁ ଶ୍ମଶାନର ଜୁଇ ଯାଏଁ
ଜୀବନ ତମାମ ସାମାଜିକ ବିସଙ୍ଗତି
ଆର୍ଥିକ ବୈଷମ୍ୟ ଅନ୍ଯାୟ ଅନୀତି
ଦୁର୍ନୀତି ପ୍ରୀୟାପ୍ରୀତିର ବିରୋଧରେ
ସ୍ୱର ତୋଳି ଅହରହ ଯୁଝୁଥିବା ମଣିଷଟି
ଯେବେ ଦୁଇ ପଦ ଲେଖା ଲେଖିଦିଏ
ଅନ୍ତରର ବ୍ଯଥାକୁ ବଖାଣି କାଗଜ ପୃଷ୍ଠାରେ
କହେ ମାନବତାର ସମାନତାର କଥା
ଗାଏ ନିଷ୍ଠୁର ପାଣ୍ଡୁର ବାସ୍ତବତାର ଗାଥା
ତାହାର ଲେଖାରେ ପ୍ରଭାବୀ କବିତାରେ
ଗାତ୍ରଦାହର କାରଣ ପାଲୋଟେ ସେ
ନିଜର ଅଜାଣତରେ ଅକାରଣରେ ।
ସେବେ ତାକୁ ଭାଷା ସାହିତ୍ୟର ସୁରକ୍ଷାର୍ଥେ
ଆପଣା ଛାଏଁ ଆପଣାକୁ ମଙ୍ଗୁଆଳ ବୋଲାଇ
ଅଗ୍ରଦୂତ ସାଜିଥିବା ତଥାକଥିତ ବୈଦ୍ଧିକ ସମାଜ
କୂଟପ୍ରଶ୍ନ କରେ ହତାଦରେ ବାରମ୍ବାର
"ତୁମ୍ଭର ଏଇ ଲେଖା କେଉଁ ଶ୍ରେଣୀଭୁକ୍ତ?"
ଛନ୍ଦ ସ୍ବର ଭାବ ଶବ୍ଦ ବ୍ଯାକରଣ ବିବର୍ଜିତ
ପ୍ରେମ ପ୍ରଣୟର ମୁଖର ବର୍ଣ୍ଣନା ନାହିଁ ତ ।
ଜାଣିନ କି ତୁଛା ସମାଜବାଦରେ
ମିଳେ ନାହିଁ ଭାତ ପୁରେନି ଉଦର
କି ହାସଲ ହୁଏନି ମାନପତ୍ର ପୁରସ୍କାର
ବିପ୍ଳବ ବିରୋଧର ପଥ ପରିହାରି
ଯେବେ ସାଜିବ ଆମ୍ଭର ସ୍ତାବକ
ତୁମ୍ଭ ଚଲାପଥ ହେବ କୁସୁମିତ
ରାଶି ରାଶି ସମ୍ମାନରେ ହେବ ପୁରସ୍କୃତ ।
ବେସାଲିସ ବିପ୍ଳବୀ ମଣିଷଟିଏ
ବା କି କରି ପାରିବ ନିର୍ଣ୍ଣୟ?
ହଜିଯାଇଥିବା ଗୀତ ଖାତାକୁ
ଝୁରି ଝୁରି ମରିବ ଅବା ବିଡ଼ା ବିଡ଼ା
ମାନପତ୍ର ଉପଢୌକନର ସ୍ବପ୍ନରେ
ହୋଇବ ଆତ୍ମ ବିଭୋର?
ତୋଷାମଦୀର ଗୋଲାପ ପାଖୁଡ଼ାଠୁ
ଅସଂଖ୍ୟ କଣ୍ଟାର ଦାରୁଣ ଆଘାତ
ନିର୍ବିବାଦୀୟ ଭାବେ ତା' ପାଇଁ ଶ୍ରେୟସ୍କର
ସଂଗ୍ରାମୀର ଲାଗି ଶ୍ରେଷ୍ଠ ଉପହାର ।
