Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anirudha Kund

Classics

4.5  

Anirudha Kund

Classics

ବାର ମାସ ଯାତ

ବାର ମାସ ଯାତ

1 min
333



ବଇଶାଖ ଦୁଷ୍ଟ ଦେଉଅଛି କଷ୍ଟ

   ବହେ ତତଲା ପବନ

ତାତିରୁ ମୁକତି ଖୋଜନ୍ତି ଶ୍ରୀପତି

  ଦେହେ ଲଗାଇ ଚନ୍ଦନ

ଅକ୍ଷୟ ତୃତୀୟା ତିଥିରୁ ପ୍ରଭୁଙ୍କ

   ଜଳ କେଳିରେ ଯେ ମନ 

ଜୟ ଜଗଦୀଶ ଜୟ ରାଧାଈଶ

   ଜୟ ମଦନ ମୋହନ ..।


ଜ୍ୟେଷ୍ଟ ମାସେ ସ୍ନାନ ପୂର୍ଣ୍ଣମୀର ଦିନ

   ରୂପ ପ୍ରଭୁ ଗଜାନନ

ଅଣସର ଘର ବଇଦ ଉପଚାର

  ଜ୍ବରରେ ଚକାନୟନ

ପନ୍ଦର ଦିବସ ଅପେକ୍ଷାର ଶେଷ

   ବେଶ ନବ ଯଉବନ

ଜୟ ଜଗଦୀଶ ଜୟ ରାଧାଈଶ

   ଜୟ ମଦନ ମୋହନ .. ।


ଆଷାଢ଼ ଯାତରା ସବୁଠାରୁ ତୋରା

   ରଥେ ପତିତପାବନ

ଅଧର ପଣାର ଅଧର ଚୁମ୍ବନ 

   ମୁକତି ଅତୃପ୍ତ ପ୍ରାଣ

ନଅଟି ଦିନର ଲୀଳା ଖେଳା ସାରି

   ହରିବକରିବେ ଶୟନ

ଜୟ ଜଗଦୀଶ ଜୟ ରାଧାଈଶ

   ଜୟ ମଦନ ମୋହନ .. ।


ଶ୍ରାବଣ ମାସରେ ଝୁଲନ୍ତି ଝୁଲାରେ

   ରାଧାସାଥିରେ ମଦନ

ରସରାଜ ରାସ ରଚନ୍ତି ମନ୍ଦିରେ

  କୃଷ୍ଣ ସେ କଳା ବାମନ

ଗହ୍ମା ପୁନେଁଇ ରେ ବଳଦେବ ଜନ୍ମ 

   ପବିତ୍ର ରକ୍ଷା ବନ୍ଧନ

ଜୟ ଜଗଦୀଶ ଜୟ ରାଧାଈଶ

   ଜୟ ମଦନ ମୋହନ .. ।


ଦେବକି ବନନ୍ତି ପ୍ରସବ କରନ୍ତି

  କରି ଯେ ଉଠ ସେବନ

ପୁଣ୍ୟ ଶ୍ରୀକ୍ଷେତ୍ର ର ସାଜେ ଗୋପ ପୁର

  କୃଷ୍ଣ ଜନ୍ମାଷ୍ଟମୀ ଦିନ

ଭାଦ୍ରବ ମାସର ଶୁକ୍ଳ ଏକାଦଶୀ

   ପାର୍ଶ୍ବର ପରିବର୍ତ୍ତନ

ଜୟ ଜଗଦୀଶ ଜୟ ରାଧାଈଶ

   ଜୟ ମଦନ ମୋହନ .. ।


ଷୋଳ ପୂଜା ଆଉ ଦଶହରା ମଜା

  ହୋଇଲେ ମାସ ଆଶ୍ୱିନ

 ପୂର୍ଣ୍ଣମୀ କାର୍ତ୍ତିକେ ରାଧା ଦାମୋଦର

   ଏକାଦଶୀ ଉତ୍ଥାପନ

 ମଗୁଶୁର ଶୁକ୍ଳ ଷଷ୍ଠି ତିଥି ଦିନ

   ପ୍ରଭୁଙ୍କ ଲାଗି ଓଢଣ

ଜୟ ଜଗଦୀଶ ଜୟ ରାଧାଈଶ

   ଜୟ ମଦନ ମୋହନ .. ।


ପୁଷ୍ୟ ଅଭିଷେକ ପୁଣ୍ୟ ପୌଷ ମାସ

   ପ୍ରଭୁ ଶ୍ରୀରାମ ସ୍ମରଣ

ମାଘ ମାସ ତିଥି ମକର ସଂକ୍ରାନ୍ତି

  ଯାତରା ଉତ୍ତରାୟଣ

ଫଗୁଣରେ ଫଗୁ ଖେଳନ୍ତି ଯେ ପ୍ରଭୁ

   ଦୋଳ ପୂର୍ଣ୍ଣମୀର ଦିନ

ଜୟ ଜଗଦୀଶ ଜୟ ରାଧାଈଶ

   ଜୟ ମଦନ ମୋହନ .. ।


ଚଇତି ମାସରେ ଶାକ୍ତ ହୁଏ ଶକ୍ତ

   ନିରବେ ବୈଷ୍ଣବ ଜନ

ଅଶୋକ ଅଷ୍ଟମୀ ଶ୍ରୀରାମ ନବମୀ

   ବଡ ଦେଉଳେ ପାଳନ

ବାର ମାସ ଯାତ ହୁଅଇ ଏମନ୍ତ

  ଶିରି ମନ୍ଦିର ବିଧାନ 

  ଜୟ ଜଗଦୀଶ ଜୟ ରାଧାଈଶ

   ଜୟ ମଦନ ମୋହନ .. ।


Rate this content
Log in

Similar oriya poem from Classics