ଜୀବନ୍ତ ମୁର୍ଦ୍ଦାର
ଜୀବନ୍ତ ମୁର୍ଦ୍ଦାର
କବିତା - ଜୀବନ୍ତ ମୁର୍ଦ୍ଦାର
ରଚନା - ପଞ୍ଚାନନ ଜେନା
ତାରିଖ -୦୫-୦୩-୨୦୨୬
++++++++++++++++
ଛୋଟକାଟିଆ ଅନୁରୋଧ ମୋର
ଗୁହାରି କରୁଛି ବିନତୀ କରୁଛି
ଭାବିବାକୁ ଥରେ କରୁଣାବତାର
ଡାକ୍ତରଖାନାରେ ରୋଗୀଟେ ହୋଇ
ବେଡ଼ରେ ଶୋଇବା କଷ୍ଟକର
ନା ରୋଗୀ ବେଡ଼ ପାଖରେ
ଜାଗ୍ରତ ପ୍ରହରୀ ପ୍ରତିହାରୀ ପରି
ଜୀବନ୍ତ ଜଗୁଆଳି ମଙ୍ଗୁଆଳି ପରି
ଛିଡ଼ା ହେବା କଷ୍ଟକର
ରୋଗୀ ଦେହରେ ଇଂଜେକଶନ
ଫୋଡିବା କଷ୍ଟକର
ନା ଛୁଞ୍ଚିକୁ ଦେଖି ନିଜ ଡରକୁ ଚାପିରଖି
କିଛି ହେବନିର ସାହସ ଦେବା କଷ୍ଟକର
ନା ସେଲାଇନ୍ ସରିବା ପରେ
ସିଷ୍ଟର କୁ ଡାକି ବନ୍ଦ କରିବା କଷ୍ଟକର
ନା ରାତି ଅନିଦ୍ରା ରହି
ଟେଷ୍ଟ ତଥା ଔଷଧ ପାଇଁ
ଉପର ତଳ ହେବା କଷ୍ଟକର
ଡାକ୍ତରବାବୁ ଆସିଲେ ରାଉଣ୍ଡରେ
କଷ୍ଟରେ ହୁଁ ହାଁ କହିବା କଷ୍ଟକର
ନା ଛଳଛଳ ଅନୁରୋଧ କରିବା କଷ୍ଟକର
ନା ଆଉ ଥରେ ଦେଖି ନେବାକୁ ନେହୁରା ହେବା କଷ୍ଟକର
ନା କିଛି ବାହାର ଔଷଧ ଲେଖିଦେବାଙ୍କୁ
ମୀନତି କରିବା କଷ୍ଟକର
କିଛି
ପଥି ଖାଇ ବଟିକା ଗିଳିଦେବା କଷ୍ଟକର
ନା ଲୁହକୁ ଚାପିରଖି ସଜସଜ ହସକୁ
ପରସି ଦେବା ପରଖିବା କଷ୍ଟକର
ନା ମଧୁର ମିଥ୍ୟାକୁ ଆୟୁଧ କରି
ଆଉ ଦୁଇ ଦିନ ପରେ ଘରକୁ ଯିବା ସାରି
ସାର୍ କହୁଥିଲେ କହିବା କଷ୍ଟକର
ରୋଗଟା ଭୟଙ୍କର ଜାଣିବା କଷ୍ଟକର
ରୋଗର ଚିକିତ୍ସା କାମ ଦେଉନି ଜାଣିଯିବା କଷ୍ଟକର
ନା ଘରକୁ ଫେରିବାର ଅସମ୍ଭବ ଆଶ୍ୱାସନା
ଦେବା କଷ୍ଟକର
ନା ଭଗବାନଙ୍କ ଉପରେ ଆସ୍ଥା ରଖିବାକୁ
ଉପଦେଶ ଦେବା କଷ୍ଟକର
ନା ଜାଣିପାରି ବି ଶେଷ ନିଃଶ୍ୱାସ ପ୍ରଶ୍ୱାସ
ଉଡିଯିବ ଏଥର
ଧୌଯ୍ୟର ଶବ୍ଦକୁ ହାତ ଗଣତିରେ
ହେରଫେର କରିବା କଷ୍ଟକର
ଅନୁଭବ ମୋର
ରୋଗୀ ହେବା କଷ୍ଟକର
ଡାକ୍ତରଖାନାରେ ଭର୍ତ୍ତି ହେବା ଆହୁରି କଷ୍ଟକର
କିନ୍ତୁ ପରନ୍ତୁ ଅଧିକନ୍ତୁ
ସେବକ ହେବା ଦୁରୂହ ବ୍ୟାପାର
ରୋଗୀ ପାଖରେ ରହି ସେବା ଆହୁରି ଭୀଷଣ କଷ୍ଟକର
ରୋଗୀ ସହିତ ରୋଗୀ ହେବାକୁ ପଡ଼େ ଥରକୁ ଥର
ନିଦ ଖାଦ୍ୟ ଶୟନ ସପନ କଥା ପଛକୁ ଥାଉ
ନର୍ସ ଡାକ୍ତର ଔଷଧ ଭିତରେ ଧାଇଁ ଧାଇଁ
ବିଚରା ପାଲଟି ଯାଏ ଜୀବନ୍ତ ମୁର୍ଦ୍ଦାର
