STORYMIRROR

Panchanan Jena

Tragedy

3  

Panchanan Jena

Tragedy

ବିନା ଦ୍ଵିଧାରେ

ବିନା ଦ୍ଵିଧାରେ

1 min
211

ଅତୀତର ତତଲା 

ତେଲ କଢ଼େଇରେ

ଅଧା ଅଧୁରା ସ୍ମୃତି ସବୁ 

ଟକ୍ ଟକ୍ ଯେବେ ଫୁଟେ

ତେଲ ଫୋଟକା ଭିତରେ

ମଭଳି ବାଉଳି ସ୍ୱପ୍ନମହଲ ଫାଟେ

ଆତ୍ମା ମୋର

କୋହରେ ଗୁମୁରି ଉଠେ

ଆଖିରେ ଆପେ ଆପେ ଆସିଯାଏ

ହୃଦୟ ବତୁରା ଅରଣ୍ୟ ରୋଦନ 

ବହୁତ ବାଧେ କାଟେ ।


ପୁଣି ସେହି ଅତୀତର ସାଇତା

ମାଟି ସିଲଟ ଆଇନାରେ

ଯେବେ ଦିଶି ଯାଏ

ବଗ ଧରା , ବାଟୁଳି ମରା

ପଡୋଶି ବାଡିରୁ ବରକୋଳି କଇଁଥ ଚୋରା

ତା' ପକେଟରେ ହାତ ପୁରେଇ

କଇଁଆ ଆଚାର ଖୋଜା ଖୋଜି ପରେ

ସୁଲୁ ସୁଲୁ ଚୁମୁଟା ଚିମୁଟି ଧାରା

ଆପେ ଆସେ ହସଟି ଫୁଟେ ଉକୁଟି

 ମହମ୍ମଦ ସାମୀର

ଇନ ସୁଇଙ୍ଗର କ୍ରିକେଟ ବଲଟି 

କ୍ଲିନ ବୋଲଡ କଲା ପରି

ଉଠେ ଭୃକୁଟି ।


ବୁଝିଲେ

କାନ୍ଧିବା ଆଉ ହସିବା ଭିତରେ

ଅନେକ ଘଟଣା ଘଟିଯାଏ ବିନା ଦ୍ଵିଧାରେ

ଯେମିତି ବିନା କାରଣରେ ରାଗିବା

ହେବା ଗରଗର

ଛୋଟ ମୋଟ ଘଟଣାକୁ ନେଇ

ହସିବା ହସେଇବା ନିରନ୍ତର


ସିଗାରେଟ ଫୁଙ୍କିବା ମଦ ପିଇବା

ଅନ୍ ଲାଇନରେ ଅର୍ଡର କରି

ପୁଣି ଫେରେଇବା

ତାସ୍ ଖେଳିବା ସାଙ୍ଗ ପାଖରେ ବସି

ଏଇଟା ପକା ସେଇଟା କାଟ୍

କହି ଖେଳ ଭଣ୍ଡୁର କରିବା


ଅନ୍ୟମନସ୍କ ରହିବା କାଲାପିଠିଆ ଦିଶିବା

ଗୁରୁବାରରେ ଦାଢୀ ଖିଅର ହୋଇ

ଲକ୍ଷ୍ମୀବାର ବୋଲି ମନସ୍ତାପ କରୁ କରୁ

ପୁଣି ଆସନ୍ତା ଗୁରୁବାରରେ

ଦୋହରେଇଦେବା ।


ଇସ୍ରାଏଲ-ହାମାସ୍‌ ଯୁଦ୍ଧ ଉପରେ

ଘଣ୍ଟାଏ ଭାବିବା

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ବିଷୟକୁ ନେଇ

ବହେ ଗପିବା

ଶେଷରେ ମନକୁ ବୁଝେଇବାକୁ ଯାଇ 

କହିବାର ଶୁଣିବା

ତାଙ୍କ ଦେଶର ଶାସକ-ସୈନିକ ପାଗଳ 

ରକେଟ୍ ଉଦ୍‌ଦ୍ଭାବନକାରୀ ଆମ ଦେଶ

ଲାଭ କରିବ ସହଳ 


ମୋତେ ଲାଗେ

ଭାଷଣବାଜି କରିବାକୁ 

ଅନେକ ତର୍କ ବିତର୍କ

ରହିଥିଲେ ବି 

ମୁଁ କାହିଁକି

ମୁରୁକି ଦେଉ ଥାଏ

ମଝିରେ ମଝିରେ

ମୁଁ କାହିଁକି

ସତକୁ ଲୁଚେଇ 

ନିଖୁଣ ଅଭିନୟ କରୁଥାଏ

ମଝିରେ ମଝିରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy