ସଖୀ କଣ୍ଢେଇ
ସଖୀ କଣ୍ଢେଇ
ସବୁ କିଛି ସଂପୂର୍ଣ୍ଣ ନୁହଁ
କିନ୍ତୁ ଜୀବନ ଚାଲିଛି
ସବୁ କିଛି ଉତ୍କୃଷ୍ଟ ନୁହଁ
କିନ୍ତୁ ମଣିଷ ଜିଇଁଛି
କରିବାର କିଛି ନାହିଁ
ବିକାଶ ନାଆଁରେ ସମ୍ବଳ ଅଣ୍ଡୁନି
ପ୍ରଗତି ବାନାରେ ସମୟ କୁଳୁନି
ତଥାପି ମଣିଷ ଧାଉଁଛି
ପଡି ଉଠି ପୁଣି ଦୈଡୁଛି
କାହିଁ ପାଇଁ ହାଇଁ ପାଇଁ
ବୁଝୁନି ବୋଧେ
ବୁଝିପାରୁନି ନିଜ ସାଧ୍ୟେ
ବୁଝିବାକୁ ଚେଷ୍ଟା କରୁନି କାହିଁକି ସାଇଁ ।
ଜୀବନ କେବେ ମିଠା ମିଠା ଜହର
ପୁଣି କେବେ ଭୁରୁ ଭୁରୁ ବାସେ ଅତର
ସଂପର୍କ କେବେ ସରଳ ତରଳ
ସାବଲୀଳ
ପୁଣି କେବେ ଘାଣ୍ଟେଇ ଗୋଳେଇ
ଥୋଇଦିଏ
ସମୀକରଣ ଜଟିଳ କୁଟିଳ ହଳାହଳ
ଫଳାଫଳ କେବେ ବୁଣେ ସମ୍ଭାବନାର
ଆମ୍ବକଷି
ପୁଣି କେବେ ଅସୀମ ସସୀମ ଅପରିସୀମ
କଳ୍ପନାତୀତ କାଳମସୀ
ଲକ୍ଷ୍ୟପଥ କେବେ ଶରତ ଆକାଶ ପରି
ସଫା ତୋଫା ଛାୟାପଥ
ପୁଣି କେବେ କଣ୍ଟକିତ ଦନ୍ତୁରିତ ଶୈଳାବୃତ ସମସ୍ୟା ଆଚ୍ଛାଦିତ
ଜୀବନ ହାରିନି ଥକିନି
ଅବିନଶ୍ଵର
ସେ ପରମେଶ୍ଵର
ସେ ପରମକାରୁଣିକଦ୍ଵାର
ଅବିରାମ ଗତିରେ
ଘୁରୁଛି ବୁଲୁଛି
ଆଲୋକ - ଅନ୍ଧାର ଗ୍ରାସୁଛି
ପାପ-ପୂଣ୍ୟର ହିସାବ କରୁଛି
ମଣିଷ ନାଚୁଛି ବାନ୍ଧି ଘୁଙ୍ଗୁର
ସମୟ ଦୋଳିରେ ସଖୀ କଣ୍ଢେଇ
ଜନ୍ମରୁ ମରଣ
ଭୃଣରୁ ଶ୍ମଶାନ
କୋଳରୁ କୋକେଇ
ନାଚୁଛି ଥେଇ ଥେଇ
ଖାଲି ମାୟାରେ ମୋହିତ ପରିବ୍ୟାପ୍ତ
ଅଜ୍ଞାନ ଅଞ୍ଜନ କପାଳେ ନାଇ ।
