ନଖ ଦର୍ପଣ
ନଖ ଦର୍ପଣ
କବିତା - ନଖ ଦର୍ପଣ
ରଚନା - ପଞ୍ଚାନନ ଜେନା
ତାରିଖ -୦୧-୦୫-୨୦୨୬
+++++++++++++++
ସର୍ତ୍ତଥିଲା
ଶବ୍ଦରେ ହେବ ଅର୍ପଣ ସମର୍ପଣ
ଭାବରେ ହେବ ଅନୁରୂପ ତର୍ପଣ
ଭାବନା ହେବ ନିର୍ମଳ ନଖ ଦର୍ପଣ
ସର୍ତ୍ତଥିଲା
ଯାତନାରେ ହେବ ଅଫୁରନ୍ତ ଲାବଣ୍ୟ
ଚେତନାରେ ହେବ ଆନ୍ତରିକ ତାରୁଣ୍ୟ
ଜୀବନ ହେବ ସବୁଜିମା ମୟ ଅରଣ୍ୟ
ସବୁ ସର୍ତ୍ତ କୁଆଡ଼େ ମିଳେଇ ଗଲା
ବାହାନା ବାଜିର ସାହାନାଇ ସ୍ୱରେ
ସବୁ ସର୍ତ୍ତ କୁଆଡ଼େ ବଦଳି ଗଲା
ପରୀକ୍ଷା ନୀରିକ୍ଷାର ମାପକାଠି ଦୂରେ
ପ୍ରତିଥର ତର୍କ ବିତର୍କର ଅସ୍ତ୍ରଶସ୍ତ୍ର
ଫିଙ୍ଗା ସରିଲା ପରେ ପରେ
ଭରସା ସବୁ ଭଙ୍ଗା କାଚ ବୋତଲ ପରି
ଚୁର୍ ମାର୍ ହେଲା ପରେ
ଖଣ୍ଡ ଖଣ୍ଡ ହୋଇ ବିଛାଡି ପଡିଲା ପରେ
ମନରେ ପ୍ରଶ୍ନ ଉଠେ
ମତିରେ ବୁଦ୍ଧି ଜୁଟେ
ମୁଣ୍ଡରେ ମଞ୍ଜି ଗଜୁରେ
ତୁଣ୍ଡରେ ଫସଲ ଉଜୁରେ
ପୁଣି ସର୍ତ୍ତ ସବୁ ମୁଣ୍ଡ ଟୁଙ୍ଗାରେ
ହାରୁ ହାରୁ ଜିତିବାର ସୁଯୋଗ ଭିନ୍ନ
ଖସରୁ ଖସରୁ ଉପରକୁ ଉଠିବା ଅଭିନ୍ନ
ଆଉ ସର୍ବାନ୍ତକରଣେ
ସଢୁ ସଢୁ ସଫଳତାର ପାହାଚ ଚଢିବା ପୁରାପୁରି ଅଛିନ୍ନ
ସତେ ଯେମିତି ଅନୁଶଙ୍କାର କ୍ଷତଚିହ୍ନ ଭିତରେ ଶୁଭ୍ର ପଦଚିହ୍ନ
