ପୁଣ୍ୟ ଇନ୍ଦିବର
ପୁଣ୍ୟ ଇନ୍ଦିବର
କବିତା - ପୁଣ୍ୟ ଇନ୍ଦିବର
ରଚନା - ପାଞ୍ଚାଳନ ଜେନା
ତାରିଖ -୦୧-୦୫-୨୦୨୬
+++++++++++++++++
ସେ ଝଡ଼ ପରି ଥିଲେ
କିନ୍ତୁ ଏହା ଅନ୍ୟ କଥା ଯେ
ସେ ମୋ ଭିତରେ ଥିବା ଝଡ଼ ତାଣ୍ଡଵକୁ
ଅବପାତରେ ପରିଣତ କରିଦେଲେ
ସମୁଦ୍ର ବକ୍ଷରୁ ଆଣି କୂଳରେ ଲଗେଇ ଦେଲେ
ସେ ଝୁଡି ପରି ଥିଲେ
କିନ୍ତୁ ଏହା ଭିନ୍ନ ବ୍ୟଥା ଯେ
ସେ ମୋ ଭିତରେ ଥିବା ଅଳିଆକୁ ଝୁଡିରେ ପୁରେଇ
ଖତ ଗଦାରେ ପକେଇ କମ୍ପୋଷ୍ଟ କରିଦେଲେ
ଅଦରକାରିକୁ ଦରକାରି ହିତକାରୀ ଥୋଇଦେଲେ
ସେ ପାମ୍ପଡ଼ ପରି ଥିଲେ
କିନ୍ତୁ ଏହା ଅଭିନ୍ନ ପ୍ରସଙ୍ଗ ଯେ
ସେ ମୋ ଭିତରେ ମଡ଼ ମଡ଼ ଫଡ଼ ଫଡ଼ ଗର୍ବ
ଅହଙ୍କାରକୁ
ସମାଜ ସେବାରେ ନିୟୋଜିତ କଲେ
ଲଗାମଛଡ଼ା ଭେଣ୍ଡିଆକୁ ସାଦୁଆ ବଳଦ କରିଦେଲେ
ସେ ସୁନ୍ ପାମ୍ପଡ଼ି ପରି ଥିଲେ
କିନ୍ତୁ ଏହା ଅନନ୍ୟ ରାସ୍ତା ଯେ
ସେ ମୋ ଭିତରେ ଥିବା ପିତା କଷା ରାଗରୋଷକୁ
ମିଠା ଭୋଜ୍ୟ ପରି ବନେଇ ଦେଲେ
ଅଯୋଗ୍ୟ ଅନଭିଜ୍ଞକୁ ପ୍ରଥମ ପସନ୍ଦ ପାଲଟିଦେଲେ
ସେ ମୁଢ଼ି ପରି ଥିଲେ
କିନ୍ତୁ ଏହା ଅନନ୍ୟ ଉଦାହରଣ ଯେ
ସେ ମୋ ଭିତରେ ଥିବା କୁଡୁକୁଡୁ ମୁଡୁମୁଡୁ
ମାନ ଗୁମାନ ଅଭିମାନକୁ
ପୂଜା ପାର୍ବଣରେ ଜୁଟେଇ ଦେଲେ
ସାମାନ୍ୟ କୁ ଅସାମାନ୍ୟ ଭାବେ ଗଣେଇ ଦେଲେ
ସେ ଗୁଡି ପରି ଥିଲେ
କିନ୍ତୁ ଏହା ଅନବଦ୍ୟ ଅବଦାନ ଯେ
ମୋ ଭିତରେ ଥିବା ଗଳଗଳ ତରଳ ଗରଳ ସବୁକୁ
ସ୍ଵଚ୍ଛ ସ୍ଵଜଳ ଧାରାରେ ପ୍ରବାହିତ କରେଇଲେ
ଗୃହସ୍ୱାମୀକୁ ଗଗନମାମୀ ସଜେଇ ଦେଲେ
ସେ ମାଟି ପରି ଥିଲେ
କିନ୍ତୁ ଏହା ଅନନ୍ତ ଅନୁମୋଦିତ ପନ୍ଥା ଯେ
ମୋ ଭିତରେ ଥିବା ଆଇଁସିଆ ଆଇଗିଣିଆ ରୁଚି ପ୍ରବୃତ୍ତିକୁ
ନମ୍ର କମ୍ର ବିନମ୍ର କରିଦେଲେ
ମାଟିର ମଣିଷରୁ ମାଟିମନସ୍କ ଜୀବନ୍ୟାସ ଦେଇ ଦେଲେ
ସେ ସନ୍ୟାସୀ ପ୍ରତିମ
ସେ ବିନ୍ୟାସୀ ଅଗ୍ରୀମ
ସେ ବିନ୍ଧାଣୀ ଅସୀମ
ସେ ଭାଦ୍ରାଣୀ ସସୀମ ଥିଲେ ହେଁ
ସର୍ବାଦୌ ମନୋଜ ଦାସ
ଧୂରୀଣ କଥାକାର ଶବ୍ଦ ରତ୍ନାକର
ମୋ ଶୁଦ୍ଧ ଅନ୍ତକଃରଣ ତଳେ ପୂଣ୍ୟ ଇନ୍ଦିବର
