ସତ୍ୟ ସନାତନ
ସତ୍ୟ ସନାତନ
କବିତା - ସତ୍ୟ ସନାତନ
ରଚନା - ପଞ୍ଚାନନ ଜେନା
ତାରିଖ -୨୬-୦୪-୨୦୨୬
+++++++++++++++++
ଚାରିଦିନର ପରା ଆୟୁଷ
ଚାରିଟୋପା ଲୁହରେ ପରା ଭରା ଗଣ୍ଡୁଷ
ସମୁଦ୍ରେ କୋହରେ ପରା ଢ଼େଉଖେଳେ ନିଶ୍ୱାସ
ତଥାପି ଖରସ୍ରୋତା ନଈ ପରି ବହୁଛି
ବହି ଚାଲିଛି କଳ କଳ
ତଥାପି ଡେଣାହୀନ ଉଡ଼ାଣ ଶିଖୁଛି
ଶିଖି ଚାଲିଛି ଛଳ ଛଳ
ତଥାପି ଚପଲ ବିନା ଖାଲି ପାଦରେ ଚାଲୁଛି
ଚାଲିବା ଶିଖି ନେଇଛି ଢ଼ଳ ଢ଼ଳ
ଛାତିରେ ହସନ୍ତ ବସନ୍ତ ଅଫୁରନ୍ତ ଫୁଟେଇ
ପ୍ରେମରେ ଠକି ଯାଇଛି ଶୂନ ଫଳାଫଳ
ପ୍ରତାରଣାକୁ ଚଳୁ କରୁଛି ଆକଣ୍ଠ ପିଉଛି
ଶତ ଶୃଙ୍ଗାରକୁ ଫୁ କରି ରଫାଦଫା କରି ପାରୁଛି
ଶେଷରେ ଜାଣିଛି ଜାଣି ପାରିଛି
ସମାଜରୁ ସାମାଜିକତା
ମାନବରୁ ମାନବିକତା
ଜୀବନରୁ ବାସ୍ତବିକତା ସରି ସରି ଆସୁଛି
ଶେଷରେ ବୁଝି ସାରିଛି ଗଣ୍ଠି ବାନ୍ଧିଛି
ଅନ୍ୟ ପାଇଁ ସୃଷ୍ଟି କଲେ ଉଦାହରଣ
ଅନ୍ୟ ପାଇଁ ସାହାଯ୍ୟର କଲେ ସମର୍ପଣ
ଅନ୍ୟର ବିପଦରେ ପାହାଡ଼ ପରି ଦଣ୍ଡାୟମାନ
ସମାଜ ବାହା ବାହା କରିବ ଚାରିଦିନ
ନିଜେ ସମସ୍ୟାରେ ଫସିଲେ ବୁଡିଲେ
କେହି ବି ଦେଖା ଯିବେେନି ସତ୍ୟ ସନାତନ
ଶେଷରେ ବୁଝି ପାରିଛି ଗଣ୍ଠିଧନ କରିଛି
ଋତୁ ବଦଳେ କିଛି ମାସ ବ୍ୟବଧାନେ
ରଙ୍ଗ ବଦଳେ ମଣିଷ କ୍ଷଣକୁ କ୍ଷଣ ସମ୍ମାନେ ଅସମ୍ମାନେ
ବହୁରୂପୀ ଏଣ୍ଡୁଅ ସରମି ଯାଏ ଅପମାନେ
ତଥାପି ନିଜ ସିଙ୍ଗରେ ମାଟି ଖୋଳିବା ସିଖିଛି
ଝାଳ ତ ବୋହିବ
କଷ୍ଟ ତ ହେବ ହିଁ ହେବ
କୋହ ସମୁଦ୍ରରେ ଭାସିବା ବଦଳରେ
ପହଁରିବା ସିଖି ପାରିଛି
