ଭରିବ ଶୂନ୍ୟସ୍ଥାନ
ଭରିବ ଶୂନ୍ୟସ୍ଥାନ
କବିତା - ଭରିବ ଶୂନ୍ୟସ୍ଥାନ
ରଚନା - ପଞ୍ଚାନନ ଜେନା
ତାରିଖ -୨୫-୦୪-୨୦୨୬
+++++++++++++++++
କିଏ କହୁଛି
ଖାଲି ବିଫଳ ପ୍ରେମୀକର ହୃଦୟଟା
ହୁତୁହୁତୁ ଜଳେ
ବୀରହ ଜ୍ୱାଳାରେ ମହମ ପରି ତରଳେ
ମତେ ଲାଗୁଛି
ଆହୁରି କିଛିରେ ଚେଙ୍କା ଲାଗିଗଲେ
ଚାଉଁକିନା ସନ୍ତୁଳେ
ହାଉକିନା ମାଡ଼ିବସେ ବାଉଳେ
ଦୌଡି ପଳାଏ ପରାଣ ବିକଳେ
ବୈଶାଖ ଝାଞ୍ଜିରେ
ଏପ୍ରିଲ ଟାଣ ଖରାରେ
ଛିଡ଼ା ହୋଇଥିବା ବାଇକ୍ ଉପରେ
ଅଚାନକ ବସି ପଡିବା ବେଳେ
ଖାଲି ପଛଟା ଫାଟେ କୁହୁଳେ
ସତେ ଯେମିତି
ତତଲା ରୁଟି ସେକା ତାୱାରେ
ବସି ପଡିଲି ଆଉଳେ ବାଉଳେ
ସିଝିଗଲା ନରମ ମାଉଁସ ଫାଳେ
କେତେ ଆଞ୍ଚୁଡ଼ା ଗଲାଣି
କେତେ କଣ୍ଟା ଫୁଡିଲାଣି
କେତେ କଟା ରକ୍ତଛିଟା ସହିଲାଣି
ଟକ ଟକ ଫୁଟୁଥିବା ତାତିଲା ବାଲିରେ
ପାଦତଳେ ଗୋଟା ଗୋଟା ଫୋଟକା ହେଲାଣି
ସବୁ ଅପେକ୍ଷାର ହୋଇବ ଅନ୍ତ
ସବୁ ପ୍ରତୀକ୍ଷାର ପରିସମାପ୍ତି ଶାନ୍ତ
ସବୁ ସମସ୍ୟାର ସମାଧାନ ଅନନ୍ତ
ହେବ ଅଚାନକ
ହେବ ସକର୍ମକ
ହେବ ଉପସଂହାର ସମ୍ୟକ
ଭାବି ପାରିଲେ ଚେତନାରେ
ନ୍ୟୁନ କରିପାରିଲେ ଭାବନାରେ
ତୁଳନାତ୍ମକ ବିଚାର କରିପାରିଲେ
ତୁମ ସମସ୍ୟା ଠାରୁ ଅନ୍ୟର ବଡ଼ ସମସ୍ୟା ଆକଳି ନେଲେ
ବଡ଼ ବଡ଼ ସମସ୍ୟା ଦିଶିବ ସାନ
ଆକାଶଚୁମ୍ବୀ ବିପଦର ହେବ ପତନ
ମସ୍ତବଡ଼ ଭୁଲ ବୁଝାମଣାର ନିମ୍ନଗାମୀ ସମନ
ସୃଷ୍ଟି କରିବ ଅତୁଲ୍ୟ ଅମୂଲ୍ୟ ପରିସଂଖ୍ୟାନ
ମୁହୁର୍ତ୍ତରେ ଭରିବ ସରିବ ଶତାବ୍ଦୀ ତଳର ଶୂନ୍ୟସ୍ଥାନ
