ମୁହଁରେ ହସ ମନରେ ବିଷ
ମୁହଁରେ ହସ ମନରେ ବିଷ


ମୁହଁରେ ହସ ମନରେ ବିଷ
ରଖଇ ଯେ ସାଇତି
ସେ ହସ ମଧୁ ଲାଗେ କି ମିଠା
ଦେଇପାରେ କି ତୃପ୍ତି ?
ଅବଲମ୍ବନ କରୁଥିଲେ ବି
ଯେତେ ସେ କୃତିମତା
କାର୍ଯ୍ୟକଳାପ ଚିହ୍ନାଇ ଦିଏ
ତା’ର ଅନ୍ତର କଥା ।
ମନର ଭାବ ବଦଳେ ଯେଣୁ
ଆଚାରବିଚାରରେ
ଲୁଚି ରହିବ କିପରି ତାହା
କାହା ଅନ୍ତରାଳରେ ?
ସର୍ପ ଖଳଠୁ କ୍ରୁର ସେ ନର
ଦଂଶେ ମିଠା ବଚନେ
ଭାବେ ନିଜକୁ ଅତି ବୁଦ୍ଧିଆ
ତାହାର ମନେ ମନେ ।
ଏପରି ବ୍ୟକ୍ତି ଯେ ହୀନ ମତି
ସୁଖ ଦେଖେନା କା’ର
ମନ ଭିତରେ ମସୁଧା କରେ
ଆନର ଅପକାର ।
କହାକୁ କେବେ ଆପଣାପଣେ
ବାନ୍ଧି ସେ ନ ପାରଇ
ସ୍ବାର୍ଥ ସିଦ୍ଧିରେ କେବଳ ଧାଏଁ
କାହା ପଛେ ଗୋଡ଼ାଇ ।
ବୁଝେନି ମୂଲ୍ୟ ସେ ସମ୍ପର୍କର
ଭୋଗ ଲାଳସା ନେଇ
ଷଡ଼ରିପୁକୁ କୋଳାଏ ନିତି
ନିଜ ରସନା ପାଇଁ ।
ସମୟ ଉଣ୍ଡି ଅନ୍ତରୁ ବିଷ
ପ୍ରୟୋଗେ ଆନଠେଇଁ
ଧରା ପଡି଼ଲେ ଛି’ ଛାକରେ
ମୁଣ୍ଡକୁ ଥାଏ ନୋଇଁ ।
ବଦଳିଯିବା ସ୍ବଭାବ କେବେ
ତା’ଠାରୁ ଆଶା ନୁହେଁ
ତା’ ସହଜାତ ଗୁଣକୁ ତୋଳି
ସେ ଖୁସି ଅମଜାଏ ।
ଜୀବନ କାଳେ କାହାର ସିଏ
ସାଜି ପାରେନା ମିତ
ଈର୍ଷା ଅସୂୟା ଧରି ହୃଦୟେ
ଚିନ୍ତେ ନାହିଁ ବି ହିତ ।
ଏପରି ଜନଠାରୁ ସର୍ବଦା
ବିଜ୍ଞ ରହେ ଦୂରେଇ
ପୋତି ଦେଲେ ବି ତୋଷାମୋଦିରେ
ଟିକିଏ ହଲେ ନାହିଁ ।।